ଧରାପଡ଼ିଲେ ବୁଲ୍ଲି ବାଈର ମାଷ୍ଟରମାଇଣ୍ଡ

ମୁମ୍ୱାଇ : ବହୁଚର୍ଚ୍ଚିତ ବୁଲ୍ଲିବାଈ ଆପରେ ଶହ ଶହ ମୁସଲିମ୍ ମହିଳାଙ୍କ ଫଟୋ ଅପଲୋଡ କରିବା ଘଟଣାରେ ମୁମ୍ୱାଇ ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ମୁମ୍ୱାଇ ପୋଲିସ ବେଙ୍ଗାଲୁରୁର ଜଣେ ଯୁବକଙ୍କୁ ଅଟକ ରଖିବା ସହ ତାଙ୍କୁ ଜେରା କରିଛି । ଏଥିସହ ଏହାର ମାଷ୍ଟରମାଇଣ୍ଡ ଜଣେ ମହିଳାକୁ ମଧ୍ୟ ପୋଲିସ ଗିରଫ କରିଛି । ଏହି ମହିଳା ଜଣକ ନିଜ ବନ୍ଧୁ ସହ ମିଶି ବୁଲ୍ଲି ବାଈ ଆପ ମାଧ୍ୟମରେ ମୁସଲିମ୍ ମହିଳାଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଏବଂ ଅଭଦ୍ର ଭାଷା ଲେଖିବା ସହ ମହିଳାଙ୍କ ଫଟୋ ଦେଇ ନିଲାମ ପାଇଁ ଟଙ୍କା ଲଗାଇବା ଭଳି ତୁଚ୍ଛ ବୟାନ ମଧ୍ୟ ଲେଖୁଥିଲେ । ଗୀତ ହବ୍ ପ୍ଲାଟଫର୍ମ ଜରିଆରେ ବୁଲ୍ଲି ବାଈ ଆପକୁ ବ୍ୟବହାର କରାଯାଇ ଏହି ବେଆଇନ କାର୍ଯ୍ୟ କରାଯାଇଥିଲା । ପୋଲିସ ମହିଳା ଓ ତାଙ୍କ ବନ୍ଧୁ ଉଭୟଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି । ତେବେ ମୁମ୍ୱାଇ ପୋଲିସ ବେଙ୍ଗାଲୁରୁରୁ ଯେଉଁ ଯୁବକକୁ ଗିରଫ କରିଛି ସେହି ଯୁବକଙ୍କ ନାଁ ବିଶାଳ ହୋଇଥିବା ବେଳେ ବୟସ ୨୧ ବର୍ଷ ।
ମୁମ୍ୱାଇ ପୋଲିସର କହିବାନୁସାରେ ଉଭୟଙ୍କ ବନ୍ଧୁତା ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିଲା । ‘ଖାଲସା ସୁପ୍ରିମିଷ୍ଟ’ ନାମରେ ଆକାଉଣ୍ଟ ଖୋଲି ଏହି ଘଟଣା ପଛରେ ଶିଖ୍ ସମ୍ପ୍ରଦାୟର କୌଣସି ବ୍ୟକ୍ତି ସାମିଲ ଅଛି ବୋଲି ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିବା ଥିଲା ବିଶାଲର ମୁଖ୍ୟ ଲକ୍ଷ୍ୟ । ମାତ୍ର ଉଭୟ କରିଥିବା ସମସ୍ତ ଯୋଜନା ପଣ୍ଡ କରିଥିଲା ମୁମ୍ୱାଇ ପୋଲିସ । ମୁସଲିମ୍ ମହିଳାଙ୍କୁ ନେଇ ଥିବା ତୁଚ୍ଛ ଚିନ୍ତାଧାରା ଯୋଗୁଁ ଉଭୟ ଏଭଳି କରିଥିବା ଜଣାପଡ଼ିଛି । ମହିଳା ଜଣକୁ ମୁମ୍ୱାଇ ଅଣାଯାଇଥିବା ବେଳେ ବିଶାଳକୁ କୋର୍ଟରେ ହାଜର କରିଛି ପୋଲିସ ।