ସରିଲା ୨୮ ଦିନର ଲୁଚକାଳି ଖେଳ । ବନ୍ଧାହେଲା ସୁଧାଂଶୁ ଖୁଣ୍ଟିଆ ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର । ମୁଖ୍ୟ ଅଭିଯୁକ୍ତ ସଦାଶିବ ସହ ୫ ଜଣଙ୍କୁ କୋର୍ଟ ଚାଲାଣ । ଗତମାସ ୧୩ ତାରିଖରେ ରକ୍ତରଞ୍ଜିତ ହୋଇଥିଲା ଭୁବନେଶ୍ବର ଉପକଣ୍ଠ ସରକନ୍ତରା । ଏମସରେ କାର୍ଯ୍ୟରତ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ । ହସପିଟାଲରୁ କାମସାରି ଫେରୁଥିବାବେଳେ ପଏଣ୍ଟ ବ୍ଲାଙ୍କରୁ ଗୁଳି କରିହତ୍ଯା କରିଥିଲା ଅଭିଯୁକ୍ତ ସଦାଶିବ ପ୍ରଧାନ । ପୂର୍ବରୁ ପୋଲିସ ମାମଲାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତେବେ ମର୍ଡର କରିବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ୨୮ ଦିନ ପରେ ମାରଣାସ୍ତ୍ର ସହ ଶିବାକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।
ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଯୋଜନା ମୁତାବକ ସୁଧାଂଶୁଙ୍କୁ ମାରିବା ପାଇଁ ଶିବା କିଣିଥିଲା ବନ୍ଧୁକ ଓ ଗୁଳି । ନିଜ ବାରି ପଟରେ କରୁଥିଲା ବନ୍ଧୁକ ଚଳାଇବା ଅଭ୍ୟାସ I ଏହାକୁ ନିଜ ମୋବାଇଲରେ ରେକର୍ଡ କରି ରଖି ଘଟାଇଥିଲା ଘଟଣା । ଶିବା ଠାରୁ ମୋବାଇଲ ଯବତ ପରେ ପୋଲିସ ହାତରେ ଲାଗିଛି ପ୍ରମାଣ I ଘରଠାରୁ ମାତ୍ର ଶହେ ମିଟର ଦୂରରେ ଗୁଳିକରି ସୁଧାଂଶୁଙ୍କୁ ହତ୍ୟା କରିଥିଲା । ଘଟଣାରେ ଶିବାର ବାପା ଓ ଭାଇ ସହ ଦୁଇ ସହଯୋଗୀଙ୍କୁ ପୁର୍ବରୁ ଗିରଫ କରିଛି ପୋଲିସ । ସେପଟେ ଶିବା ଗିରଫ ହେବା ପରେ ତାକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ସୁଧାଂଶୁଙ୍କ ପରିବାର । ତେବେ ଏଠି ପ୍ରଶ୍ନ ଉଠୁଛି, ହତ୍ଯା କରିବାକୁ ଶିବା କେଉଁଠୁ ଆଣିଥିଲା ବନ୍ଧୁକ ଓ ଗୁଳି ? ସେ ଏହାକୁ କିଣିଥିଲା ନା, ଅନ୍ୟ କେହି ଯୋଗାଇଥିଲା ? ଖୁବଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି କହିଛି ପୋଲିସ ।

