OSSC ପରୀକ୍ଷାରେ ବ୍ୟାପକ ତ୍ରୁଟି: ୧୫୦ ମାର୍କରୁ ସିଲାବସ ବାହାରୁ ଆସିଛି ୧୨୦ ମାର୍କ, କମିଶନ କାର୍ଯ୍ୟାଳୟ ବାହାରେ ହୋହଲ୍ଲା
1 min read
ନନ୍ଦିଘୋଷ ବ୍ୟୁରୋ: କେତେବେଳେ ପ୍ରଶ୍ନପତ୍ର ଲିକ, କେତେବେଳେ ପରୀକ୍ଷା ସ୍ଥଗିତ । ଆଉ କେତେବେଳେ ବର୍ଷ ବର୍ଷ ଧରି ପ୍ରମୁଖ ପରୀକ୍ଷାର ଫଳ ବାହାରୁନି । ଏବେ OSSC ପରୀକ୍ଷା ସିଲାବସ ବାହାରୁ ଆସିଛି ପ୍ରଶ୍ନ । ଏବେ ରାଜ୍ୟରେ ପ୍ରତିଯୋଗିତାମୂଳକ ପରୀକ୍ଷାର ସ୍ଥିତି ଏମିତି । ଏହାକୁ ନେଇ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଅଫିସ ସମ୍ମୁଖରେ ପୋଲିସ ପରୀକ୍ଷାର୍ଥୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ୧୫୦ ମାର୍କ ପରୀକ୍ଷାରୁ ସିଲାବସ ବାହାରୁ ୧୨୦ ମାର୍କ ପ୍ରଶ୍ନ ଆସିଥିଲା । ଯାହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖା ଦେଇଥିଲା । ସବୁ ମହଲରୁ ଏହାକୁ ନିନ୍ଦା କରାଯାଇଛି । ଏଭଳି ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କହିବା କଥା ପରୀକ୍ଷା କ୍ଷେତ୍ରରେ ଦୀର୍ଘ ଦିନ ଧରି ଯେଉଁ ମାଲଫଙ୍କସନିଙ୍ଗ ହେଉଥିଲା ତାହା ନୂଆ ଆଇନ ଦ୍ୱାରା କମ ହେବ ।
ବର୍ଷ ବର୍ଷ ପରିଶ୍ରମ କରୁଛନ୍ତି ପରୀକ୍ଷାର୍ଥୀ । ହେଲେ ପରୀକ୍ଷା ବେଳକୁ ମୁଗୁରା ମୁହଁ ମେଲା । ସିଲାବସ ବାହାରୁ ଆସୁଛି ପ୍ରଶ୍ନ । ପିଲାଙ୍କ ଭବିଷ୍ୟତ ସହ ଖେଳ । ଓପିଏସସି ଠାରୁ ଆରମ୍ଭ କରି ଓଏସଏସସି, ଓଟ୍ରିପଲ ଏସସି ଆଦି ପ୍ରମୁଖ ପ୍ରତିଯୋଗିତାମୂଳକ ପରୀକ୍ଷା ପରିଚାଳନା ସଂସ୍ଥା ବିରୋଧରେ ବ୍ୟାପକ ଅସନ୍ତୋଷ । ଆରଆଇ, ଅମିନ, ଏଆରଆଇ, ଫାର୍ମାସିଷ୍ଟ ଭଳି ପରୀକ୍ଷା ଫଳ ଓ ପରୀକ୍ଷାକୁ ନେଇ ପୂର୍ବରୁ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି । ଏବେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା କରାଯାଇଥିବା ଏସଆଇ ଟ୍ରାଫିକ, ଏକ୍ସାଇଜ ଏସଆଇ ପରୀକ୍ଷାରେ ତୃଟି ପରିଲକ୍ଷିତ ହୋଇଛି । ୧୫୦ ମାର୍କ ପରୀକ୍ଷାରୁ ସିଲାବସ ବାହାରୁ ୧୨୦ ମାର୍କ ପ୍ରଶ୍ନ ଆସିଥିବାରୁ କମିଶନ କାର୍ଯ୍ୟାଳୟରେ ହୋହାଲ୍ଲା କରିଛନ୍ତି ପରୀକ୍ଷାର୍ଥୀ । ସିଲାବସ ବାହାରୁ ପ୍ରଶ୍ନ ଆସିଛି ବୋଲି କମିଶନ ମାନିଥିଲେ ମଧ୍ୟ ଏହି ପରୀକ୍ଷାକୁ ନେଇ କ’ଣ ନିଷ୍ପତ୍ତି ନିଆଯିବ ତା’ର ସ୍ପଷ୍ଟତା ଚାହିଁଛନ୍ତି ଛାତ୍ରଛାତ୍ରୀ । ଏପରିକି ବିରୋଧ ବେଳେ ପରୀକ୍ଷାର୍ଥୀଙ୍କ ସହ ପୋଲିସର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରୀକ୍ଷାର୍ଥୀଙ୍କୁ ପୋଲିସ ଅଟକାଇବାରୁ ଏମିତି ସ୍ଥିତି ଉପୁଜିଥିଲା । କମିସନ ଅଧ୍ୟକ୍ଷଙ୍କୁ ଭେଟିବାକୁ ନ ଦେଇ ଗେଟ ବାହାରକୁ ତଡି ଦେଇଥିଲା ପୋଲିସ । ଯେଉଁଥି ପାଇଁ ପୋଲିସ ସହ ଯୁକ୍ତିତର୍କ ହୋଇଥିଲା । ଶେଷରେ ପରୀକ୍ଷାର୍ଥୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ କର୍ତ୍ତୃପକ୍ଷ ଭେଟିଥିଲେ ମଧ୍ୟ ଏହି ପରୀକ୍ଷାକୁ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖି ନଥିବା ଅଭିଯୋଗ ହୋଇଛି ।
ଆସନ୍ତା ଚାରି ତାରିଖରେ କମିଶନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଏହି ସମସ୍ୟା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । କିନ୍ତୁ ପିଲାମାନେ ତୁରନ୍ତ ସିଲାବସ ଅନୁଯାୟୀ ପ୍ରଶ୍ନ ପ୍ରସ୍ତୁତ କରି ଆଉ ଥରେ ପରୀକ୍ଷା କରିବାକୁ ଦାବି କରିଛନ୍ତି । ସେପଟେ ପରୀକ୍ଷା ଜନିତ ତ୍ରୁଟିକୁ ନେଇ ସଂଗ୍ରାମ କରୁଥିବା ଛାତ୍ର ନେତାମାନେ ପିଲାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନିଆଯାଉନି ବୋଲି କହିଛନ୍ତି । ତେଣୁ ଆକାଉଣ୍ଟବିଲିଟି ଫିକ୍ସ ହେଉ ଓ କାର୍ଯ୍ୟାନୁଷ୍ଠାନ ନିଆଯାଉ । ନ ହେଲେ ବ୍ୟବସ୍ଥାରେ ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି । ସେପଟେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ କହିବା କଥା ବିଧାନସଭା ଅଧିବେସନରେ ଆଇନ ଆସିଛି । ଏହା ଯେତେ ପରିମାଣରେ କାର୍ଯ୍ୟକାରୀ ହେବ ପରୀକ୍ଷାଜନିତ ଦୁର୍ନୀତି ସେତେ କମିଯିବ ବୋଲି ସେ କହିଛନ୍ତି ।
ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ହେବା, ବିଭିନ୍ନ କମ୍ପିଟେଟିଭ ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ହେବା, ପରୀକ୍ଷାକୁ ହଠାତ ସ୍ଥଗିତ କରାଯିବା ଓ କିଛି ପ୍ରମୁଖ ପରୀକ୍ଷା ଫଳକୁ ବର୍ଷ ବର୍ଷ ଧରି ପ୍ରକାଶ ନ କରିବାକୁ ନେଇ ସରକାରଙ୍କ ବିରୋଧରେ ଲଗାତର ବଡ଼ ବଡ଼ ଅଭିଯୋଗ ଆସୁଛି । ସାଧାରଣ ପରୀକ୍ଷା ହେଉ କିମ୍ବା ପ୍ରତିଯୋଗିତାମୂଳକ ପରୀକ୍ଷା ସବୁଥିରେ ଅନିୟମିତତା ଓ ଅରାଜକତା ଶୀର୍ଷରେ ପହଞ୍ଚିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ମାନସିକ ଅବସାଦଗ୍ରସ୍ତ ହେଉଛନ୍ତି ।