ନଳକୂପ ଖୋଳା ବେଳେ ଅଚାନକ ମାଟି ଫାଟି ବାହାରିଲା ପାଣି,ମାଟିରେ ସମାଧି ନେଲା ଟ୍ରକ୍

ନନ୍ଦିଘୋଷ ବ୍ୟୁରୋ: ଅଚାନକ ଫାଟିଲା ମାଟି, ବାହାରିଲା ପାଣି । ପାଣିର ସ୍ରୋତ ଏତେ ଭୟଙ୍କର ଥିଲା ଯେ, ମାଟିରେ ସମାଧୀ ନେଇଗଲା ଟ୍ରକ । ରାଜସ୍ଥାନର ଜୈସଲମେରର ମୋହନଗଡ ଅଞ୍ଚଳରେ ଗତ ତିନିଦିନ ପୂର୍ବରୁ ଏକ ନଳକୂପ ଖନନ କରାଯାଉଥିଲା । ଖୋଳାଯିବା ସମୟରେ ହଠାତ ମାଟି ଫାଟିଯିବା କାରଣରୁ ୧୦ଫୁଟର ଉଚ୍ଚର ପାଣି ଉପରକୁ ଉଠିବାକୁ ଲାଗିଲା । ଯାହାକୁ ଦେଖି ସ୍ଥାନୀୟ ଲୋକ ଭୟଭୀତ ହେବା ସହ ସେହି ଅଞ୍ଚଳକୁ ଯିବା ପାଇଁ ଡରିବାକୁ ଲାଗିଲେ । ସେହି ସ୍ଥାନରୁ ଏତେ ଜୋରରେ ପାଣି ବାହାରିଥିଲା ଯେ, ସେଠାରେ ବ୍ୟବହୃତ ହୋଇଥିବା ଟ୍ରକ ମଧ୍ୟ ସେଠାରେ ସମାଧି ନେଇଗଲା । ଗତ ତିନି ଦିନ ଧରି ପାଣି ପ୍ରବାହ ହେଉଥିବା ବେଳେ ଆଜି କମିଥିବାରୁ ସ୍ଥାନୀୟ ବାସିନ୍ଦା ଆଶ୍ବସ୍ତି ଲାଭ କରିଛନ୍ତି ।

ସୂଚନା ଅନୁଯାୟୀ, ନଳକୂପ ଖୋଳିବା ବେଳେ ଏଭଳି ଅଘଟଣ ଘଟିଛି । ପାଣି ସହିତ ବାହାରୁଥିବା ଗ୍ୟାସ ମଧ୍ୟ ବନ୍ଦ ହୋଇଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ଏବଂ ଓଏନଜିସି ସମେତ ଅନ୍ୟନ୍ୟ ଗ୍ୟାସ କମ୍ପାନୀ ମଧ୍ୟ ସେହି ସ୍ଥାନରେ ତଦାରଖ କରୁଛନ୍ତି । ସେଠାକାର ଜିଲ୍ଲାପାଳଙ୍କ ଅନୁଯାୟୀ ଆଜି କିଛି ବୈଜ୍ଞାନିକ ସେହି ସ୍ଥାନକୁ ତଦନ୍ତ ପାଇଁ ଯିବେ ।

ନଳକୂପ ପାଇଁ ପାଇଁ ୨୫୦ମିଟର ଗଭୀର ଗାତ ଖୋଳାଯାଇଥିଲା । ତେବେ ହଠାତ ମାଟି ଫାଟିଗଲା । ଏବଂ ଖନନ ପାଇଁ ବ୍ୟବହୃତ ହୋଇଥିବା ମେସିନ ମଧ୍ୟ ମାଟିରେ ପୋତି ହୋଇଗଲା । ବର୍ତ୍ତମାନ ଟ୍ରକର କେବଳ ଉପର ଭାଗ ଦେଖାଯାଉଛି । ମାଟି ଫାଟିବା ସମୟରେ ଯେଉଁ ଗର୍ତ୍ତ ସୃଷ୍ଟି ହୋଇଛି ସେଥିରେ ୧୦ଫୁଟ ଉଚ୍ଚର ପାଣି ଉପରକୁ  ନିର୍ଗତ ହେଉଛି । ଏଭଳି ସ୍ଥିତିରେ ସେଠାରେ କାମ କରୁଥିବା ସମସ୍ତ ଲୋକ ଭୟରେ ସେଠାରୁ ପଳେଇଥିଲେ । ଆଖି ପିଛୁଳାକେ ସେ ସ୍ଥାନଟି ସମୁଦ୍ର ପରି ଦେଖାଯାଇଥିଲା ।

ଭୂତଳ ବିଭାଗର ବରିଷ୍ଠ ବୈଜ୍ଞାନିକ ଡା. ନାରାୟଣ ଦାସଙ୍କ କହିବାନୁଯାୟୀ ଏହା ଆର୍ଟିଜନ କଣ୍ଡିସନ କାରଣରୁ ହୋଇଛି । ଭୂଗର୍ଭରେ ସ୍ୟାଣ୍ଡ ଷ୍ଟୋନରେ ଦବିକି ରହିଥିବା ଭୂଜଳ ଭଣ୍ଡାରରେ ପଙ୍କଚର ହେତୁ ଏଭଳି ପାଣି ଉପରକୁ ଉଠିଥାଏ । ଏହା ଟ୍ରେସରୀ ସ୍ୟାଣ୍ଡ ଫର୍ମେଶନ ଅଟେ । ଏଠାରୁ ନିର୍ଗତ ହେଉଥିବା ପାଣି ସ୍ଲାଇନ ଅଟେ । ପାଣି ସହିତ ଧଳା ରଙ୍ଗର ମାଟି ମଧ୍ୟ ଆସୁଛି । ଯେଉଁଭଳି ଭାବରେ ପାଣି ନିର୍ଗତ ହେଉଥିଲା ଦେଖିକି ଲାଗୁଥିଲା କି ଏହା କମ ଦିନରେ ବନ୍ଦ ହେବାର ସମ୍ଭାବନା ନାହିଁ  ।ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳରୁ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଏହି କ୍ଷେତ୍ରରୁ ୫୦୦ମିଟର ଦୂରତା ଖାଲି କରାଯାଇଛି । ଏହାର ପାଖାପାଖି ମଣିଷ ଏବଂ ପଶୁପକ୍ଷୀଙ୍କୁ ଆସିବାକୁ ବାରଣ କରାଯାଇଛି ।