spot_img

Latest Posts

ପ୍ରାଥମିକ ସ୍କୁଲ ମିଶ୍ରଣ ଓ ବନ୍ଦ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଦୋମୁହାଁ ଉତ୍ତର

ଭୁବନେଶ୍ବର: କମ ପିଲା ଥିବା ସ୍କୁଲ ମିଶ୍ରଣ ବା ବନ୍ଦ ନିଷ୍ପତ୍ତି କାହାର ଥିଲା ? ନବୀନ ପଟ୍ଟନାୟକ ସରକାରଙ୍କ ନା ତତ୍କାଳୀନ କେନ୍ଦ୍ର ସରକାରଙ୍କର। ପ୍ରଶ୍ନକାଳରେ ନବୀନ ସରକାରଙ୍କ ଉପରେ ପ୍ରାଥମିକ ସ୍କୁଲ ମିଶ୍ରଣ ଓ ବନ୍ଦ ନେଇ ଦୋଷ ଲଦିବାକୁ ଚେଷ୍ଟା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ହେଲେ ଗୃହ ବାହାରେ ତାଙ୍କ ଉତ୍ତର ସମସ୍ତଙ୍କୁ ଚକିତ କରିଦେଲା।୫ ବର୍ଷ ପୂର୍ବରୁ କମ ପିଲା ଥିବା ସ୍କୁଲକୁ ପାଖ ସ୍କୁଲରେ ମିଶ୍ରଣ କରିବାକୁ ନୀତି ଆୟୋଗ କରିଥିଲେ ସୁପାରିସ। ଯାହାକୁ NDA ସରକାର କାର୍ଯ୍ୟକାରୀ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ସେ ସମୟରେ ତତ୍କାଳୀନ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିଲେ। ହେଲେ ବାରମ୍ବାର ନବୀନ ସରକାରଙ୍କୁ ଟାର୍ଗେଟ କରି ଚାଲିଲେ ନୂଆ ସରକାର।

୨୦୨୪ ନିର୍ବାଚନରେ କ୍ଷମତାକୁ ଆସିଲେ ବନ୍ଦ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲା ବିଜେପି। ହେଲେ ଏ ଯାଏଁ ପ୍ରତିଶୃତି ପାଳନ ହୋଇନି। ଏହାକୁ ନେଇ ସରକାରଙ୍କୁ ଘେରିଥିଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା। ପ୍ରଶାସନ କହୁଛି ସ୍କୁଲ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇନାହାନ୍ତି। ପୁଣି କେଉଁଠି ଖୋଲିବାକୁ ଆବେଦନ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଗୃହ ଭିତରେ ଗଣଶିକ୍ଷା ମନ୍ତ୍ରୀ କହିଲେ ସଂରକ୍ଷିତ ଅଞ୍ଚଳରେ ୨୦ ଓ ଅଣସଂରକ୍ଷିତ ଅଞ୍ଚଳରେ ୪୦ ପିଲା ଥିଲେ ସ୍କୁଲ ଖୋଲିବାକୁ ବିଚାର କରାଯିବ। ଏହି ପ୍ରକ୍ରିୟା ଅନୁସାରେ ଆବେଦନ କରାଯିବ। ହେଲେ ଏ ଯାଏଁ ବନ୍ଦ ପଡିଥିବା ପ୍ରାଥମିକ ସ୍କୁଲ ପୁଣି ଖୋଲିବାକୁ ପ୍ରସ୍ତାବ ଆସିନଥିବା କହିଛନ୍ତି।

ପ୍ରସ୍ତାବ ଆସିଲେ ପ୍ରଥମେ ଜିଲ୍ଲା କମିଟି ଯାଞ୍ଚ କରି ରାଜ୍ୟ ସ୍ତରୀୟ କମିଟିକୁ ଯାଞ୍ଚ ପାଇଁ ପଠାଇବ। ରାଜ୍ୟ ସ୍ତରୀୟ କମିଟି ସ୍କୁଲ ଖୋଲିବାକୁ ସୁପାରିସ କରିବେ। ସ୍କୁଲରେ ପିଲା କମ ଥିବାରୁ ପାଖ ସ୍କୁଲରେ ୫,୬୩୨ ସ୍କୁଲ ମିଶ୍ରଣ ହୋଇଛି। ଏ ନେଇ ୧୧ ମାର୍ଚ୍ଚ ୨୦୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହିପରି ୨, ୧୫୨ ସାଟେଲାଇଟ ସ୍କୁଲ ଶହେ ମିଟର ପାଖ ଥିବା ସ୍କୁଲରେ ମିଶ୍ରଣ କରାଯାଇଛି।ଗୃହରେ ଏହା ଅବଗତ କରିଛନ୍ତି ବିଦ୍ଯାଳୟ ଓ ଗଣଶିକ୍ଷାମନ୍ତ୍ରୀ। ତେବେ ଗୃହ ବାହାରେ ମିଶ୍ରଣର ଆବଶ୍ୟକତା ଥିବା ନେଇ ଓକିଲାତି ଗଣଶିକ୍ଷା ମନ୍ତ୍ରୀଙ୍କ ଦୋମୁହାଁ ନୀତି ସ୍ପଷ୍ଟ ହୋଇଛି ।

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ନେଇ ବିଜେପି ବିଧାୟକ ବି ସରକାରଙ୍କୁ ଘେରିଛନ୍ତି। ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କ ଗୁରୁତର ଅଭିଯୋଗ। ଗୋଡିପଦର ଓ ବଳରାମପୁର ପଂଚାୟତରେ ସ୍କୁଲ ନଥିବାରୁ ସୀମାନ୍ତ ଆନ୍ଧ୍ରପ୍ରଦେଶକୁ ପଢିବାକୁ ଯାଉଛନ୍ତି ପିଲା। ବ୍ଲକ ଗ୍ରାଣ୍ଟ ଓ ଅନୁଦାନପ୍ରାପ୍ତ ସ୍କୁଲରେ ବି ଶିକ୍ଷକ ନାହାନ୍ତି। ତେବେ ଓଡ଼ିଆ ପିଲାଙ୍କ ଆନ୍ଧ୍ର ମୁହାଁ ପ୍ରସଙ୍ଗରେ ଉତ୍ତର ନ ଦେଇ ରଖିଥିଲେ ଦ୍ଵିତୀୟ ପ୍ରଶ୍ନର ଉତ୍ତର। ସ୍କୁଲ ମ୍ୟାନେଜମେଣ୍ଟ ଶିକ୍ଷକ ନିଯୁକ୍ତି କରୁଥିଲେ। ସରକାର କେବଳ ଅନୁଦାନ ଦେଉଥିଲେ। ଏବେ ଯେଉଁଠି ଶିକ୍ଷକ ନାହାନ୍ତି ଅତିଥି ଶିକ୍ଷକ ଜରିଆରେ ପଢା ଯାଉଛି ବୋଲି କହିଥିଲେ ମନ୍ତ୍ରୀ । ସରକାର ଯେତେ ମୌଖିକ ଭାବେ କହିଲେ ମଧ୍ୟ ଲିଖିତ ଭାବେ ମାନିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଶିକ୍ଷାର ବିକାଶ ସହ ଡ୍ରପଆଉଟ କମିଛି। ପ୍ରାଥମିକ ସ୍ତରରେ ଡ୍ରପଆଉଟ ହାର ଶୂନ। ଉଚ୍ଚ ପ୍ରାଥମିକ ସ୍ତରରେ ୨ ପ୍ରତିଶତ, ଉଚ୍ଚ ମାଧ୍ୟମିକ ସ୍ତରରେ ୧୨.୮ ପ୍ରତିଶତ ଡ୍ରପ ଆଉଟ ହାର ରହିଛି। ଯାହା ଜାତୀୟ ହାର ତୁଳନାରେ ରାଜ୍ୟର ଡ୍ରପ ଆଉଟ ହାର କମ।

Latest Posts

Don't Miss