ବିଏମସି ପରେ ସିଏମସିରେ ମାସ୍କ ବାଧ୍ୟତାମୂଳକ

କଟକ: ବିଏମସି ପରେ ସିଏମସିରେ ଲାଗୁ ହେଲା ମାସ୍କ କଟକଣା । କଟକରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ । ଏହାସହ ସାମାଜିକ ଦୂରତା ରକ୍ଷା କରିବାକୁ ସିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି । ନିୟମ ଉଲ୍ଲଂଘନ କରି ଅମାନିଆ ହେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।

ଗତକାଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା । ଆଇନ୍ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବାର ସଙ୍କେତ ଦେଇଥିଲା ବିଏମସି ।

ସୂଚନାଯୋଗ୍ୟ, କିଛି ଦିନର ବ୍ୟବଧନ ପରେ ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହୋଇଛି । ଏହାସହ ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଖୋର୍ଦ୍ଧା ଓ ରାଜଧାନୀରୁ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରହି ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ବିଏମସି ପକ୍ଷରୁ ଜୁଲାଇ ଗାଇଡଲାଇନ ଜାରି କରାଯାଇଛି । ଏଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ କୁହାଯାଇଛି । ବିଏମସି ଘୋଷଣାର ଦିନକ ପରେ କଟକ ମହାନଗର ନିଗମ ମାସ୍କ ବାଧ୍ୟତାମୂଳକ କରିଛି ।