ବଢ଼ୁଛି ଇମ୍ରାନ ବିରୋଧୀ ହାଓ୍ୱା, ନୱାଜ୍‌ ସରିଫ୍‌ଙ୍କ ଜ୍ଵାଇଁଙ୍କୁ ଗିରଫ କଲା ପାକିସ୍ତାନ ପୋଲିସ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫ୍‌ଙ୍କ ଜ୍ଵାଇଁ ସଫଦର ଆୱାନଙ୍କୁ କରାଚି ପୋଲିସ ଗିରଫ କରିଛି । ପାକିସ୍ତାନ ମୁସଲିମ ଲିଗ୍ ନେତା ତଥା ନୱାଜଙ୍କ ଝିଅ ମରିୟମ ନୱାଜ୍‌ ସରିଫ୍‌ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ପାକିସ୍ତାନ ଡେମୋକ୍ରାଟିକ୍ ମୁଭ୍‌ମେଣ୍ଟର କରାଚି ରାଲି ପରେ ଆୱାନଙ୍କୁ ଗିରଫ କରାଯାଇଛି । ମରିୟମ କହିଛନ୍ତି ଯେ ସେମାନେ କରାଚିର ଏକ ହୋଟେଲରେ ରହୁଥିଲେ । ଏହି ସମୟରେ ପୋଲିସ ତାଙ୍କ କୋଠରୀର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା ​​ଏବଂ କ୍ୟାପଟେନ ସଫଦର ଆୱାନଙ୍କୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ପାକିସ୍ତାନରେ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ହୋଇଥିବା ବିକ୍ଷୋଭ ସମାବେଶରେ ମରିୟମ ନୱାଜ ଅଂଶଗ୍ରହଣ କରିଥିଲେ । ପାକିସ୍ତାନରେ ଇମ୍ରାନ ଖାନ ସରକାର ବିରୋଧରେ ଦିନକୁ ଦିନ ସ୍ୱର ତୀବ୍ର ହେବାରେ ଲାଗିଛି । ଇମ୍ରାନ ସରକାରଙ୍କ ବିରୋଧରେ ବିକ୍ଷୋଭ ଓ ଶୋଭାଯାତ୍ରା ବୃଦ୍ଧି ପାଉଛି । ଏହା ଇମ୍ରାନ ଖାନ ଏବଂ ପାକିସ୍ତାନୀ ସେନା ପାଇଁ ଚିନ୍ତାର କାରଣ ପାଲଟିଛି ।

କରାଚିରେ ଅନୁଷ୍ଠିତ ଏହି ବିରୋଧୀ ସମାବେଶରେ ଅନେକ ଲୋକ ଏକତ୍ରିତ ହୋଇଥିଲେ । ସମାବେଶରେ ମରିୟମ ନୱାଜ ଇମ୍ରାନ ସରକାର ଉପରେ ପ୍ରବଳ ବର୍ଷିଥିଲେ । ସେ କହିଥିଲେ, ଯଦି ଆମେ କ୍ଷମତାକୁ ଫେରିବୁ ତେବେ ଇମ୍ରାନ ଜେଲରେ ରହିବେ । ସମାବେଶ ଆରମ୍ଭରୁ ମରିୟମ ନୱାଜ ପ୍ରଥମେ କରୋନାରେ ଜୀବନ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply