ପଞ୍ଚଭୂତରେ ଲୀନ ହେଲେ ସହିଦ ଯବାନ ନୀଳାଞ୍ଚଳ ପଟେଲ, ଆଖି ଲୁହରେ ଭିଜିଲା ବାଘପାଲି ଶ୍ମଶାନ
ବରଗଡ଼: ସହିଦ ଯବାନ ନୀଳାଞ୍ଚଳ ଅମର ରହେ….ଓଡ଼ିଆ ଯବାନ ଅମର ରହେ । ବନ୍ଦେ ମାଆତରମ । ଭାରତ ମାତା କି ଜୟ । ଦେଶ ମନେ ରଖିବ ଆପଣଙ୍କ ସର୍ବୋଚ୍ଚ ବଳିଦାନ । ହିରୋ ଯବାନ ନୀଳାଞ୍ଚଳ ପଟେଲ ଅମର ରହେ । ଏହି ନାରାରେ ପ୍ରକମ୍ପିତ ହୋଇଥିଲା ବରଗଡ଼ର ବାଘପାଲି ଗାଁର ଶ୍ମଶାନ । ମଣିପୁରରେ ପ୍ରାଣ ହରାଇଥିବା ସହିଦ ଓଡ଼ିଆ ବୀର ଯବାନ ନୀଳାଞ୍ଚଳ ପଟେଲଙ୍କ ଶେଷକୃତ୍ୟରେ ଆଖି ଲୁହରେ ଭିଜିଥିଲା ବାଘପାଲିର ଶ୍ମଶାନ ।
ବରଗଡ଼ ବାଘପାଲି ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରାଯାଇଛି । ବଡ଼ ଝିଅ ରାଣୀ ପଟେଲ ମୁଖାଗ୍ନି ଦେଇଛନ୍ତି । ଶେଷ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ ହଜାର ହଜାର ଲୋକ । ନୀଳାଚଳ ଅମର ରହେ ଧ୍ବନିରେ କମ୍ବିଉଠିଥିଲା ପରିବେଶ । ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।
ଜିଲ୍ଲାପାଳ, ଏସପିଙ୍କ ସହ ରାଜନେତା ସହିଦଙ୍କୁ ବିଦାୟ ଜଣାଇଥିଲେ । ବାଇକ ରାଲିରେ ପାର୍ଥିବ ଶରୀରକୁ ପୂରାଅଞ୍ଚରେ ପରିକ୍ରମା କରାଯାଇଥିଲା । ଗତ ଶୁକ୍ରବାର ଦିନ ରାତ୍ରୀକାଳୀନ ପାଟ୍ରୋଲିଂ ବେଳେ ଦୁର୍ଘଟଣାରେ ନୀଳାଚଳ ପଟେଲଙ୍କ ବିୟୋଗ ହୋଇଥିଲା । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବାଘପାଲି ଗାଁର ନୀଳାଚଳଙ୍କ ଘର । ଆଜି ମଧ୍ୟାହ୍ନରେ ଜନ୍ମ ମାଟି ବାଘପାଲି ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଖେଳ ପଡିଆରେ ହୋଇଛି ଶେଷକୃତ୍ୟ ।