ପୁଅକୁ ଝୁରି ଝୁରି ଆଖିବୁଜିଲେ ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମା’, ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପର୍ଣ୍ଣ

ଆନନ୍ଦପୁର: ସହିଦ ପୁଅକୁ ଝୁରି ଝୁରି ଆଖିବୁଜିଲେ ମା’। ଆନନ୍ଦପୁର ନନ୍ଦିସାହିର ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ସୁନ୍ଦରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା  । ଏସସିବିରେ ଚିକିତ୍ସିତ ହେଉଥିଲେ ସୁନ୍ଦରୀ ଖୁଣ୍ଟିଆ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା  ।

ଗତକାଲି ବିଳମ୍ବିତ ରାତିରେ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି  । ପ୍ରଥମେ ସ୍ବାମୀ ଓ ପରେ ତିନି ପୁଅଙ୍କୁ ହରାଇ ଭାଙ୍ଗି ପଡିଥିଲେ ସୁନ୍ଦରୀ  । ଏନେଇ ସବୁ ବେଳେ ଚିନ୍ତାରେ ରହୁଥିଲେ  । ଧିରେ ଧିରେ ଅଧିକ ଅସୁସ୍ଥ ଯୋଗୁ ଏସସିବିରେ ଭର୍ତ୍ତି ହୋଇଥିଲେ  ।

ଗତକାଲି ତାଙ୍କର ମୃତ୍ୟୁ ହୋଇଛି  । ୨୦୨୦ ମସିହାରେ ସ୍ବାମୀ ଆତୁଳ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା । ଚଳିତବର୍ଷ ବଡ ପୁଅ ସନ୍ତୋଷ ଖୁଣ୍ଟିଆ ଓ ମଝିଆ ପୁଅ ପ୍ରଶାନ୍ତ ଖୁଣ୍ଟିଆ ଆଗପଛ ହୋଇ ପ୍ରାଣ ହରାଇଥିଲେ । ଗତ ୧୧ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅପରେସନରେ ସହିଦ ହୋଇଥିଲେ ସୁଶାନ୍ତ । ସୁଶାନ୍ତଙ୍କ ବିୟୋଗ ପରେ ମାନସିକ ଭାରସାମ୍ୟ ହରାଇ ଅସୁସ୍ଥ ହୋଇପଡିଥିଲେ ମା’ ସୁନ୍ଦରୀ  ।