ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଓଡ଼ିଆ ପୁଅଙ୍କ ମରଶରୀର

ଭୁବନେଶ୍ୱର: ଭୁବନେଶ୍ବରରେ ପହଞ୍ଚିଲା ସହିଦ ଓଡ଼ିଆ ପୁଅ ଦେବାଶିଷ ବିଶ୍ବାଳଙ୍କ ମରଶରୀର । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ ସହିଦଙ୍କ ମରଶରୀରକୁ ସେନା ପକ୍ଷରୁ ଗାର୍ଡ ଅପ୍ ଅନର ଦିଆଯିବ । ଏଥିପାଇଁ ବିମାନବନ୍ଦରରେ ପ୍ରସ୍ତୁତି ହୋଇଛି । ସହିଦ ଦେବାଶିଷଙ୍କ ପରିବାର ଲୋକ ମଧ୍ୟ ଏୟାରପୋର୍ଟରେ ପହଞ୍ଚିଛନ୍ତି । ବିମାନ ବନ୍ଦରରୁ ସିଧାସଳଖ ଜନ୍ମ ମାଟି ପୁରୀ ଜିଲ୍ଲା ଅଳଗୁମା ପଞ୍ଚାୟତ ଖଣ୍ଡାୟତ ସାହିରେ ପହଞ୍ଚିବ ମରଶରୀର । ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଦେବାଶିଷଙ୍କ ଅନ୍ତିମ ସଂସ୍କାର କରାଯିବ ।
ଗତ ୨୦ ତାରିଖ ଜାମ୍ମୁ ଓ କାଶ୍ମୀରର ରାଜୌରୀ ସେକ୍ଟରରେ ସେନା ଟ୍ରକ ଉପରକୁ ଆତଙ୍କବାଦୀ ଗ୍ରେନେଡ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ଯେଉଁଥିରେ ରହିଥିଲେ ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳ । ୫ ମାସ ତଳେ ଝିଅ ଜନ୍ମହେବା ଖୁସିରେ ଛୁଟିରେ ଗାଁକୁ ଆସି ଫେବ୍ରୁଆରୀରେ ପୁଣି ଡ୍ୟୁଟିରେ ଯୋଗଦେଇଥିଲେ ଦେବାଶିଷ । ୨୦୧୨ ମସିହାରେ ସେନାରେ ସିପାହୀ ଭାବରେ ନିଯୁକ୍ତି ପାଇଥିବା ଦେବାଶିଷ ପଦୋନ୍ନତି ପାଇବା ପରେ ଜାମ୍ମୁ କାଶ୍ମୀରରେ ଡ୍ୟୁଟି କରୁଥିଲେ ।