ସହିଦ୍ ଚନ୍ଦ୍ରକାନ୍ତଙ୍କୁ ଝୁରୁଛି ଗାଁ, ଗୁମୁରି କାନ୍ଦୁଛି ଭଉଣୀ

1 min read

ଦୁଇ ହଜାର ବର୍ଷ ତଳେ ପ୍ଲାଟୋ କହିଥିଲେ ଏହି ଯୁଦ୍ଧର ଅନ୍ତ ସେହିମାନେ ଦେଖିଲେ ଯେଉଁମାନେ ଏଥିର ବୀରଗତି ପ୍ରାପ୍ତ ହେଲେ । ରାଇକିଆର ଚନ୍ଦ୍ରକାନ୍ତ ପାଇଁ ଯୁଦ୍ଧ ସରିଯାଇଛି । ସେ ଗଲବାନ ଘାଟିରେ ଦେଶ ପାଇଁ ଚରମ ତ୍ୟାଗ କରିଛନ୍ତି । ଦେଶ ମାତୃକା ପାଇଁ ଦେଇଛନ୍ତି ବଳିଦାନ । ରାଇକିଆର ରଣବୀର ଚନ୍ଦ୍ରକାନ୍ତଙ୍କ ବୟସ ଥିଲା ମାତ୍ର ୨୮ । ପଛରେ ଛାଡିଯାଇଛନ୍ତି ବାପା,ମା’ ଓ ଭଉଣୀଙ୍କୁ । ଏବେ ଗାଁ ତାଙ୍କୁ ଝୁରୁଛି । ଭଉଣୀ ତାଙ୍କୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛି । ମା’ ପାଗଳି । ବାପା ଦୁଃଖକୁ ଛାତି ଭିତରେ ଚାପି ଧରିଛନ୍ତି । କିନ୍ତୁ କେତେ ସମୟ?

ଚନ୍ଦ୍ରକାନ୍ତ ୬ ବର୍ଷ ତଳେ କନ୍ଧମାଳର ରାଇକିଆରୁ ବାହାରିଥିଲେ ଦେଶସେବା ପାଇଁ । ସାମିଲ ହୋଇଥିଲେ ଭାରତୀୟ ସେନାରେ । ଭାରତୀୟ ସେନାର ବିହାର ରେଜିମେଣ୍ଟ୍-୧୬ ଥିଲା ତାଙ୍କ ପଲଟନ୍ । ସେହି ପଲଟନ୍ ଯାହା ଚୀନର ଚକ୍ରବ୍ୟୁହରେ ସୋମବାର ରାତିରେ ପଡିଥିଲା । ଚୀନ୍ ଧୋକାରେ ଚନ୍ଦ୍ରକାନ୍ତଙ୍କୁ ମାରିଥିଲା ।

ଦୁଇ ବର୍ଷ ହେଲା ଚନ୍ଦ୍ରକାନ୍ତଙ୍କ ପୋଷ୍ଟିଂ ଲଦାଖରେ ଥିଲା । ଲଦାଖକୁ ଲାଗିଥିବା ଚୀନ୍ ସୀମାର ପ୍ରହରୀ ଥିଲେ ଚନ୍ଦ୍ରକାନ୍ତ । ଗାଁରୁ ଗଲାବେଳେ ଭଉଣୀକୁ କହିଥିଲେ, ବଡ଼ ଭାଇର ସବୁ କର୍ତ୍ତବ୍ୟ ମୁଁ କରିବି । ତୋର ସବୁ ଇଚ୍ଛା ତୋର ଏଇ ଭାଇ ପୂରଣ କରିବ । ତୁ ଭଲରେ ପାଠ ପଢ ।’

ଏବେ କିନ୍ତୁ ଭାଇ ଆଉ କେବେ ଫେରିବ ନାହିଁ । ଅଫରେନ୍ତା ପଥର ପଥିକ ଚନ୍ଦ୍ରକାନ୍ତ । ଭଉଣୀ ଭାଇକୁ ଝୁରୁଛି । ଗାଁ ବି ଝୁରୁଛି ଚନ୍ଦ୍ରକାନ୍ତଙ୍କୁ । ଏହାରି ଭିତରେ କେଉଁଠି ଗର୍ବ ବି ରହିଛି । ଭାଇ ପାଇଁ,ଗାଁ ପୁଅ ପାଇଁ । ଭଉଣୀ ଏଭଳି ଭାଇ ପାଇ ଗର୍ବିତ,ଗାଁ ଏଭଳି ପୁଅ ପାଇ ।

 

 

Leave a Reply