ଯୁବତୀଙ୍କୁ ନେଇ ଫେରାର ହୋଇ ଯାଇଥିଲେ ଏହି ବିବାହିତ ପୁରୁଷ, ଅଦାଲତ କହିଲେ ଖୋଜିବାରେ ଖର୍ଚ୍ଚ ହୋଇଥିବା ଅଧା ଟଙ୍କା ଦିଅ…

ଅହମଦାବାଦ: ଖୋଜିବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ଏବେ ଅଧା ଦିଅ । ଏଭଳି ଆଦେଶ ଦେଇଛନ୍ତି ଗୁଜୁରାଟ କୋର୍ଟ ।  ସୂଚନା ଅନୁସାରେ ଜଣେ ମହିଳାଙ୍କୁ ନେଇ ଫେରାର ହୋଇ ଯାଇଥିଲେ ଜଣେ ବିବାହିତ ପୁରୁଷ । ଉଭୟଙ୍କୁ ଖୋଜିବା ପାଇଁ ପୁଲିସକୁ ସାତ ମାସ ସମୟ ଲାଗିଗଲା । ଏଥିପାଇଁ ସରକାରଙ୍କ ଖର୍ଚ୍ଚ ହୋଇଥିବା ଟଙ୍କାର ଅଧା ଭାଗ ଉକ୍ତ ବ୍ୟକ୍ତିଙ୍କୁ ଭରଣ କରିବାକୁ ପଡ଼ିବ ବୋଲି କୋର୍ଟ ଆଦେଶ ଦେଇଛନ୍ତି ।

୨୦ ମଇ ୨୦୨୧ରେ ରାଘଭାଇ ରାଜକୋଟର ଜଣେ ୨୦ ବର୍ଷର ଯୁବତୀଙ୍କୁ ନେଇ ଫେରାର ହୋଇ ଯାଇଥିଲେ । ଯୁବତୀଙ୍କ ବାପା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।  ତା ପରଠାରୁ ପୁଲିସ ଉଭୟଙ୍କୁ ଖୋଜିବାରେ ଲାଗିଲା । ସାତ ମାସ ପରେ ଶେଷରେ ଉଭୟଙ୍କୁ ଖୋଜି ପାଇବାରେ ପୁଲିସ୍‌ ସଫଳ ହୋଇଛି । ତେବେ ଫେରାର ହୋଇଥିବା ପୁରୁଷ ଜଣକ ବିବାହିତ ବୋଲି କୋର୍ଟ ଜାଣିବାକୁ ପାଇଲେ ।

ସାତ ମାସରେ ଖୋଜାଖୋଜିରେ  ୧୭ ହଜାର ୭୧୦ ଘଣ୍ଟା ସମୟ ଲାଗିଛି । ୧୯ ଦିନ ଲୋକଙ୍କୁ ପଚରାଉଚରା ବେଳେ ୪୨ ହଜାର ୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସମୁଦାୟ ଖୋଜିବାରେ  ୧ ଲକ୍ଷ ୧୭ ହଜାର ୫ ଶହ ଟଙ୍କା ଖର୍ଚ୍ଚ ହୋଇଛି ।  ଖାଲି ସେତିକି ନୁହେଁ ଝିଅର ଠିକଣା ଖୋଜି ପାଇବା ପାଇଁ ଯୁବତୀଙ୍କ ବାପା  ୮ ଲକ୍ଷ ୬୦ ହଜାର ଖର୍ଚ୍ଚ କରିଥିବା କହିଛନ୍ତି ।  ଯାହାପରେ ଖର୍ଚ୍ଚ ହୋଇଥିବା ଟଙ୍କାର ଅଧା ରାଶି ଏବେ ଉକ୍ତ ପୁରୁଷ ଜଣକ ଭରଣ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ତେବେ ପୁରୁଷ ଜଣକ ଏବେ ୫୫ ହଜାର ଟଙ୍କା ଦେବେ ।  ଯଦି ସେ ବ୍ୟକ୍ତି ଜଣକ ଟଙ୍କା ନ ଦିଅନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।