ପ୍ରେମରେ ପ୍ରତାରଣା ପରେ ଯୁବତୀଙ୍କୁ ଗୁଳିକଲେ ବିବାହିତ ଯୁବକ

ମୟୁରଭଞ୍ଜ: ମୟୂରଭଞ୍ଜରେ ଚାଞ୍ଚଲ୍ୟ । ପ୍ରେମରେ ପ୍ରତାରଣା ପରେ ଯୁବତୀଙ୍କୁ ଗୁଳିକଲେ ବିବାହିତ ଯୁବକ । ଘଟଣାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ସମେତ ଦୁଇ ସହଯୋଗୀ । ବିଶୋଇ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଗିରଫମାନେ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାର ଅଁଳାଡୁବା ଗାଁର ସୂରଜ ପଣ୍ଡାଙ୍କ ପୁଅ ଅର୍ଜୁନ ପଣ୍ଡା , ସହଯୋଗୀ ହଳଦୀପୋଖରୀ ଅଞ୍ଚଳର ଏସ.କେ ନାକିମ ଖାନ ଓ ବିଶୋଇ ଥାନା ଅଞ୍ଚଳର ଜଣେ ମହିଳା । ଦୀର୍ଘ ୩ ବର୍ଷ ଧରି ବିଶୋଇ ଥାନା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କ ସହିତ ଅର୍ଜୁନଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ବର୍ଷେ ତଳେ ଅର୍ଜୁନ ଯୁବତୀଙ୍କୁ ପ୍ରତାରଣା କରି ଅନ୍ୟ ଜଣକୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ଅର୍ଜୁନ ଯୁବତୀଙ୍କ ସହିତ ପୁଣି ସମ୍ପର୍କ ରଖବାକୁ ବାଧ୍ୟ କରିଥିଲେ । ହେଲେ ଅର୍ଜୁନ ବିବାହ କରିଥିବା ଜାଣି ଯୁବତୀ ଜଣଙ୍କ ସମ୍ପର୍କ ରଖିବାକୁ ସହମତି ହୋଇନଥିଲେ । ଏନେଇ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କୁ ଭ୍ୟାନ ଯୋଗେ ବିଶୋଇରୁ ଅପହରଣ କରି ନେଇ ରାଇରଙ୍ଗପୁର ସ୍ଥିତ ଏକ ନଦୀକୂଳରେ ଯୁବତୀଙ୍କ ଗୋଡକୁ ଗୁଳି କରିଥିଲେ । ଘଟଣାଟି ଲୋକ ଲୋଚନକୁ ଆସିବା ଭୟରେ ଅର୍ଜୁନ ଯୁବତୀଙ୍କୁ କ୍ଷତାକ୍ତ ଅବସ୍ଥାରେ ବଡ଼ଝରଣ ସ୍ଥିତ କାଳିଆଗ୍ରାମ ପରେ ଆଉ ଏକ ଭଡାଘରେ ତିନି ଦିନ ଧରି ଲୁଚାଇ ରଖିଥିଲେ ।

ଗତ ସୋମବାର ଆହତ ଯୁବତୀ ମୋବାଇଲ ଫୋନ ଯୋଗେ ନିଜ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ପରେ ଯୁବତୀଙ୍କ ପରିବାର ଲୋକେ ଏନେଇ ବିଶୋଇ ଥାନାରେ ଅଭିଯୋଗ କରିବା ପରେ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ । ଏନେଇ ଭଡାଘରର ମାଲିକାଣୀ ଅର୍ଜୁନଙ୍କ ଖବର ଦେଇଥିଲେ । ଫଳରେ ଧରାପଡିଯିବା ଭୟରେ ସେଠାରୁ ଯବୁତୀଙ୍କୁ ଧରି ଫେରାର ହୋଇଯାଇଥିଲା ଅର୍ଜୁନ । ରାଇରଙ୍ଗପୁର ନିକଟସ୍ଥ ଭୋରଣ୍ଡିଆ ସ୍ଥିତ ରାସ୍ତା କଡରେ ଯୁବତୀଙ୍କୁ ଛାଡି ଚମ୍ପଟ ମାରିଥିଲା ।

ଅର୍ଜୁନକୁ ପିଛା କରୁଥିବା ବିଶୋଇ ପୋଲିସ ଯୁବତୀ ଜଣଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ଚିକତ୍ସା ପାଇଁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅର୍ଜୁନକୁ ପିଛାକରି ଗିରଫ କରିଥିଲା ପୋଲିସ । ଅର୍ଜୁନଙ୍କୁ ବନ୍ଧୁକ ବିକିଥିବା ଯୁବକ ଏସ.କେ ନାକିମ ଓ ଯୁବତୀଙ୍କୁ ଲୁଚାଇ ରଖିବାରେ ସହଯୋଗ କରୁଥିବା ଭଡାଟିଆ ଘରର ମାଲିକାଣୀକୁ ମଧ୍ୟ ଗିରଫ କରାଯାଇଛି । ଆଜି ସାଇଣ୍ଟିଫିକ ଟିମ ସହାୟତାରେ ବିଶୋଇ ପୋଲିସ ତଦନ୍ତ କରି ଘଟଣାରେ ବ୍ୟବହୃତ ଏକ ଭ୍ୟାନ ,ସ୍କୁଟି , ପଲସର ବାଇକକୁ ଜବତ କରିବା ସହିତ ଏକ ବନ୍ଧୁକ,ଗୁଳି କାଣ୍ଡରେ ବ୍ୟବହୃତ ଖୋକା,୩ ଅଫୁଟା ଗୁଳି ଓ ୪ ଗୋଟି ମୋବାଇଲ ଜବତ କରିଛି ବିଶୋଇ ପୋଲିସ ।ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସ ନଂ ୫୬/୨୩ ରେ ଏକ ମାମଲା ରୁଜ୍ଜୁ ହୋଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।