ବୈଦିକ ରିତିନୀତିରେ ସମ୍ପନ୍ନ ହେଲା ବାହାଘର…

ଯାଜପୁର: କରୋନାକୁ ମାତ୍‌ ଦେବାକୁ ଏବେ ସମସ୍ତେ ଅଣ୍ଟାଭିଡିଛନ୍ତି । ଗାଁଠୁ ସହର ସବୁଠି ତାଲାବନ୍ଦ । ପୂଜାପାଠ ପାଇଁ ନା କୈାଣସି ମନ୍ଦିର ଖୋଲା ନା ବିବାହ ବ୍ରତ ହେଉଛି । ତଥାପି ଏମିତି ଏକ ବିପଦ ସମୟରେ ଜଣେ ଜଣଙ୍କର ଜୀବନସାଥି ହୋଇଛନ୍ତି । ବୈଦିକ ରିତିନୀତିରେ ଉଭୟଙ୍କ ବିବାହ ସମ୍ପନ ହୋଇଛି । ଯାଜପୁରର ଏହି ବିବାହକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ।

କୌଣସି ଜାକଜମକରେ ବିବାହ ହୋଇନାହିଁ । ନା ଅଛି ବାଜାବାଣ ନା ବରଯାତ୍ରୀଙ୍କ ସହ ରୋଶଣି । ନା ଫୁଲରେ ସଜା ହୋଇଛି ବରଗାଡି ନା ନିଜେ ବର ପିନ୍ଧିଛନ୍ତି କୈାଣସି ଶେରଓ୍ବାନୀ ।  ସାଧାସିଧା ପ୍ୟାଣ୍ଟସାର୍ଟ ପିନ୍ଧି ବେକରେ କର୍ପୁର ମାଳ ଓ ମୁହଁରେ ମାସ୍କ ପିନ୍ଧି ବାହା ହେବାକୁ ଯାଇଛନ୍ତି ବର । ସାମାଜିକ ଦୂରତା ଯୋଗୁ କେବଳ କେବଳ ବଡ଼ବାପା ଓ ଭିଣୋଇ ସାଙ୍ଗରେ ଥିଲେ । ଦୁଇମାସ ତଳେ ଦାନଗଦି ବ୍ଲକ୍‌ ନନ୍ଦକିଶୋରପୁର ଗାଁର ଚନ୍ଦନ ନନ୍ଦଙ୍କର ବରୀ ବ୍ଲକ ମେଦୁଆକୂଳ ଅଞ୍ଚଳର ପ୍ରଣତୀଙ୍କ ସହ ନିର୍ବନ୍ଧ ହୋଇଥିଲା ।  ଆଉ ଅକ୍ଷୟ ତୃତୀୟାକୁ ବାହାଘର ଦିନ ଧାର୍ଯ୍ୟ ହୋଇଥିଲା ।

ହେଲେ ଲକ୍‌ଡାଉନ୍‌ ପାଇଁ ସବୁକିଛି ବନ୍ଦ । କିନ୍ତୁ ଉଭୟ ପରିବାର ଏଥିପାଇଁ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇ ବିବାହ ପାଇଁ ଅନୁମତି ଆଣିଥିଲେ । ବରକନ୍ୟା, ପୁରୋହିତ ଓ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ସାମାଜିକ ଦୂରତା ରଖି ପ୍ରଣତୀଙ୍କ ସହ ସମ୍ପନ୍ନ ବାହାଘର ହୋଇଥିଲା ।  ପବିତ୍ର ଅକ୍ଷୟ ତୃତୀୟାରେ ନିଜ ସମ୍ପର୍କକୁ ସବୁଦିନ ପାଇଁ ଅକ୍ଷୟ କରିବାକୁ ଶପଥ ନେଇଛନ୍ତି ଚନ୍ଦନ ଓ ପ୍ରଣତୀ । ବାଜା, ବାଣ, ରୋଶଣୀ ଓ ବରଯାତ୍ରୀଙ୍କ ମେଳରେ ବରବେଶ ହୋଇ ଦିନେ ବାହା ହେବାକୁ ସ୍ବପ୍ନ ଦେଖିଥିଲେ ଚନ୍ଦନ । ଏହି ସ୍ବପ୍ନ ସବୁଦିନ ପାଇଁ ସ୍ବପ୍ନ ହୋଇ ରହିଗଲା । ସେପଟେ କୋଲକତାରେ ଫସିଥିବା ପ୍ରଣତୀଙ୍କ ବାପାଙ୍କ ପାଇଁ ମଧ୍ୟ ଆଉଥରେ ଆସିବ ନାହିଁ କନ୍ୟାଦାନ କରିବାର ସୁଯୋଗ । ଏନେଇ ଅବସୋସ ଥିଲେ ବି  ଉଭୟଙ୍କର ବାହାଘର ହୋଇଛି ।

Leave a Reply