କରୋନା କଟକଣା ଭିତରେ ପଡିଲା ହାତଗଣ୍ଠି

ଅନୁଗୁଳ: ଏବେ ରାଜ୍ୟରେ ଲକଡାଉନ ପରିସ୍ଥିତି । ସାମାଜିକ ଦୁରତ୍ଵ ରକ୍ଷା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ଏମିତି କୌଣସି କାର୍ଯ୍ୟକ୍ରମ କରିବାକୁ ମନା କରିଦାଆଯାଇଛି ଯେଉଁଠାରେ ଅଧିକ ଲୋକଙ୍କ ସମାଗମ ହେବ । ଏଭଳି ସ୍ଥିତିରେ ବିବାହ କାର୍ଯ୍ୟ ତ ଆଦୌ ନୁହେଁ । କିନ୍ତୁ ଆଗକୁ ଆଉ ଶୁଭ ଦିନ ନଥିବାରୁ ପ୍ରଶାସନର ସହମତି ଲୋଡିଥିଲେ ଆଉ ଆନୁମତି ନେଇ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । କରୋନା କଟକଣା ଭିତରେ ପଡିଛି ହାତଗଣ୍ଠି ।

ଲକଡାଉନ୍ ବେଳେ ନିରାଡମ୍ବର ଭାବେ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ତାଳଚେରର ଦୁଇ ଦମ୍ପତି । ନା ଥିଲା ବାଜା ଵାଜଣା ନା ବାଣ କି ବରଯାତ୍ରୀ । ଥିଲେ କେବଳ ଉଭୟ ବରକନ୍ୟା ଏବଂ ଦୁଇ ଜଣ ସମ୍ପର୍କୀୟ । ମନ୍ତ୍ରପାଠ କରିବାକୁ ଜଣେ ବ୍ରାହ୍ମଣ ଓ ବିଧି ବିଧାନ ପାଇଁ ଜଣେ ଭଣ୍ଡାରୀ ଥିଲେ । ଏବଂ ବର କନ୍ୟାଙ୍କୁ ନେବାକୁ ଏକମାତ୍ର କାର ହିଁ ଥିଲା । କିନ୍ତୁ ସେଥିରେ ଫୁଲ ସଜା ହୋଇ ନଥିଲା । କାରଣ ଲକଡାଉନ ବେଳେ ପ୍ରଶାସନିକ କଟକଣାକୁ ଆଦୌ ଭୁଲି ନଥିଲେ ଦମ୍ପତିଙ୍କ ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ତାଳଚେର ବ୍ଲକ ସଂଥପଡା ଗାଁରେ ।

ସଂଥପଡା ଗାଁର ଗୁରୁଚରଣ ସାମଲଙ୍କ ସାନ ପୁଅ ପ୍ରିୟବ୍ରତ ସାମଲ ଓ ତାଳଚେର ବେବର୍ତାମୁଣ୍ଡା  ଗାଁର ହିରେନ୍ୟ କୁମାର ପଟ୍ଟନାୟକଙ୍କ ଝିଅ ରାଜନନ୍ଦିନୀ ପଟ୍ଟନାୟକଙ୍କ ସହ ବିବାହ ସ୍ଥିର ହୋଇ ଥିଲା । ଏପ୍ରିଲ ୧୪ ତାରିଖରେ ଲକଡାଉନ ଅବଧି ଶେଷ ହୋଇଯିବା ଜାଣି ଉଭୟ ପରିବାର ପକ୍ଷରୁ ୧୭ ତାରିଖରେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଦିନ ଧାର୍ଯ୍ୟ କରିଥିଲେ । କିନ୍ତୁ ଲକଡାଉନ ଅବଧି ବଢିବା ପରେ ସେମାନେ ଚିନ୍ତାରେ ପଡିଥିଲେ ।  ଉଭୟ ପରିବାରର କହିବା କଥା ହେଲା ଆଗକୁ ଆଉ କୌଣସି ଭଲ ତିଥି ନଥିଲା । ଯେଉଁ ତିଥି ଥିଲା ତାହା ବରକନ୍ୟାଙ୍କୁ ଶୁଝୁ ନଥିଲା । ତେଣୁ କଣ କରିବେ କିଛି ଭାବି ପାରିଲେ ନାହିଁ । ତେଣୁ ସେମାନେ ବାଧ୍ୟ ହୋଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ତାଳଚେର ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ନିବେଦନ କରିଥିଲେ । ତାଙ୍କ ନିବେଦନ ଉପରେ ବିଚାର କରି ୧୦ ତାରିଖରେ ଉପଜିଲ୍ଲାପାଳ କିଛି କଟକଣା ଲାଗୁକରି ବିବାହ ପାଇଁ ଲିଖିତ ଅନୁମତି ଦେଇଥିଲେ । ଆଉ ଏହି କଟକଣାକୁ ମାନି ଉଭୟ ପରିବାର ବିବାହ କାର୍ଯ୍ୟ ଶେଷ କରିଥିଲେ ।

ନିରାଡାମ୍ବର ଢଙ୍ଗରେ ବାହାଘର ହୋଇଛନ୍ତି ପ୍ରିୟବ୍ରତ ଓ ରାଜନନ୍ଦିନୀ ତାହା ନୁହେଁ , ଉଭୟ ନବ ଦମ୍ପତି କୋରନାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦଶ ହଜାର ଟଙ୍କା ଦାନ ମଧ୍ୟ କରିଛନ୍ତି । ସେମାନଙ୍କ କହିବା କଥା ଯେଉଁଭଳି ଭାବେ ବର୍ତ୍ତମାନ କରୋନା ସଂକ୍ରମଣ ରୋକିବାକୁ ସରକାର କଠୋର ନିୟମ ଲାଗୁ କରିଛନ୍ତି ତାହା ପ୍ରକୃତରେ ସ୍ୱାଗତଯୋଗ୍ୟ । କାରଣ କୋରୋନା ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ରକ୍ଷା କରିବା ଏକମାତ୍ର ଉପାୟ । କିନ୍ତୁ ସେମାନଙ୍କ ପାଖରେ କୌଣସି ଉପାୟ ନଥିବାରୁ ବାଧ୍ୟ ହୋଇ ଏଭଳି ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । କିନ୍ତୁ ଏମିତି ନିରାଡମ୍ବର ବିବାହ ବହୁତ ଭଲ । ଖର୍ଚ୍ଚ କମ ହୁଏ ।  ସମସ୍ତେ ଅନ୍ୟ ଦିନ ମାନଙ୍କରେ ମଧ୍ୟ ଏଭଳି କରିବା ଆବଶ୍ୟକ ।

Leave a Reply