5T ଅନ୍ତର୍ଗତ ମାର୍କଫେଡ ସାର ଯୋଗାଣ ଓ ଆର୍ଥିକ ବ୍ୟବସ୍ଥାର କମ୍ପ୍ୟୁଟରୀକରଣ

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରବର୍ତ୍ତିତ 5T ଅନ୍ତର୍ଗତ କାର୍ଯ୍ୟକ୍ରମରେ ମାର୍କଫେଡ୍‌ ସାର ଯୋଗାଣ ଓ ଆର୍ଥିକ ବ୍ୟବସ୍ଥାର କମ୍ପ୍ୟୁଟରୀକରଣ । ଏହାଦ୍ବାରା ସାର ଯୋଗାଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରାଯିବା ସହିତ ଠିକ୍ ସମୟରେ ଚାଷୀଙ୍କୁ ଆବଶ୍ୟକ ସାର ଯୋଗାଇ ଦିଆଯାଇପାରିବ । ଚାଷୀ ଉପକୃତ ହେବା ସହିତ କୃଷି ଉତ୍ପାଦନ ବୃଦ୍ଧି ପାଇବ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି ।

ଆଜି ମନ୍ତ୍ରୀ ଓଡ଼ିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲି (ମାର୍କଫେଡ୍‌– ଓଡ଼ିଶା)ର ମୁଖ୍ୟ କାର୍ଯ୍ୟାଳୟରେ ସାର ଆବଣ୍ଟନ ଓ ଆର୍ଥିକ ପରିଚାଳନାର କମ୍ପ୍ୟୁଟରୀକରଣ ବ୍ୟବସ୍ଥା ‘ସମନ୍ବିତ’ର ଉଦ୍‌ଘାଟନ କରିଛନ୍ତି । ସେ କହିଛନ୍ତି, କୋଭିଡ୍ ମହାମାରୀର କଟକଣା ସତ୍ତ୍ଵେ ସମବାୟ ବିଭାଗ ଦ୍ଵାରା ରାଜ୍ୟର ଚାଷୀଙ୍କୁ ଠିକ୍ ସମୟରେ ଋଣ ସମେତ ଆବଶ୍ୟକ କୃଷି ସାମଗ୍ରୀ ଯୋଗାଇ ଦିଆଯାଇ ପାରିଥିବାରୁ ଫସଲ ଉତ୍ପାଦନ ବୃଦ୍ଧି ପାଇଛି । ନୂତନ ବ୍ୟବସ୍ଥା ପ୍ରଚଳନ ଦ୍ଵାରା ସାର ଯୋଗାଣର ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ । ସାର ଉତ୍ପାଦନକାରୀ କମ୍ପାନୀ ଓ ଆମଦାନୀକାରୀଙ୍କଠାରୁ ଆରମ୍ଭ କରି ପାଇକାରୀ ଏବଂ ଖୁଚୁରା ସାର ବ୍ୟବସାୟୀଙ୍କୁ ସାର ଯୋଗାଣ ଓ ପରିବହନ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇପାରିବ । ଏଥିରେ ସାରଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ ଓ ସ୍ଵଚ୍ଛ କରାଯିବା ସହିତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ ।’

ସେ ଆହୁରି କହିଛନ୍ତି, ‘ସମନ୍ବିତ’ ବ୍ୟବସ୍ଥା ଦ୍ୱାରା କ୍ଷେତ୍ର ସ୍ତରରୁ ପରିଚାଳିତ ବ୍ୟବସାୟିକ କାର୍ଯ୍ୟକଳାପ ମୁଖ୍ୟ କାର୍ଯ୍ୟାଳୟ ସହିତ ସହଜରେ ସଂଯୋଗ ହୋଇପାରିବ । ସାରଯୋଗାଣ କ୍ଷେତ୍ରରେ ନିରୀକ୍ଷଣ ଓ ବିଶ୍ଳେଷଣ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇ ଆବଶ୍ୟକ ଅନୁଯାୟୀ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇପାରିବ । ଏହି ଅବସରରେ ମନ୍ତ୍ରୀ ‘ସମନ୍ବିତ’ କାର୍ଯ୍ୟକ୍ରମର ବ୍ୟବହାର ପୁସ୍ତିକାର ଶୁଭ ଉନ୍ମୋଚନ କରିଥିଲେ।

ସୂଚନାଯୋଗ୍ୟ ଯେ, ମାର୍କଫେଡ ରାଜ୍ୟର ଏକ ଶୀର୍ଷ ସମବାୟ ସଂସ୍ଥା ଯାହା ରାଜ୍ୟରେ ଥିବା ୨୭୦୦ରୁ ଅଧିକ ପ୍ରାଥମିକ କୃଷି ସମବାୟ ସମିତି ଓ ୧୭୦୦ରୁ ଅଧିକ ବେସରକାରୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କ ଜରିଆରେ ଚାଷୀଙ୍କୁ ରାସାୟନିକ ସାର ଯୋଗାଇଥାଏ । ଏଥିସହିତ ମାର୍କଫେଡ୍ ରାଜ୍ୟର ଚାଷୀଙ୍କଠାରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ଥିରିକୃତ ମୂଲ୍ୟରେ ଡାଲି ଜାତୀୟ ଶସ୍ୟ ଓ ତୈଳବୀଜ ସଂଗ୍ରହ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

କାର୍ଯ୍ୟକ୍ରମରେ ନିବନ୍ଧକ, ସମବାୟ ସମିତି ସମୂହ ସୁଶାନ୍ତ କୁମାର ବାରିକ, ମାର୍କଫେଡ୍‌ର ପ୍ରଶାସକ ଭରତ ଚନ୍ଦ୍ର ବେହେରା, ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗଦେଇ ମାର୍କଫେଡ୍‌ର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ମାର୍କଫେଡ୍‌ର ସମସ୍ତ କ୍ଷେତ୍ର ଅଧିକାରୀ ଭିଡ଼ିଓ କନ୍‌ଫରେନିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave a Reply