୧୮ ଦିନରେ ପହଞ୍ଚିଲା ଋଷ-ୟୁକ୍ରେନ ଯୁଦ୍ଧ, କିଭ୍ ଓ ମାରିଉପୋଲକୁ ଖୁବଶୀଘ୍ର କବଜା କରିପାରେ ଋଷ

1 min read

କିଭ୍: ୧୮ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ରାଜଧାନୀ କିଭକୁ ଖୁବ୍ ଶୀଘ୍ର କବଜା କରିପାରନ୍ତି ଋଷ ସୈନ୍ୟ । କିଭର ଯେତିକି ନିକଟତର ହେଉଛନ୍ତି, ସେତିକି ଜୋରଦାର ହେଉଛି ଆକ୍ରମଣ । ହଜାର ହଜାର ଲୋକ ଜୀବନ ବିକଳରେ ବିଭିନ୍ନ ବେସମେଣ୍ଟ, ସବଓ୍ୱେ ଷ୍ଟେସନ ଓ ବୋମା ଆଶ୍ରୟସ୍ଥଳୀରେ ରହିଥିବା ସୂଚନା ମିଳିଛି । ସମଗ୍ର ମାରିଉପୋଲ ସହରକୁ ଆଜି ସମ୍ପୂର୍ଣ୍ଣ କବଜା କରିପାରନ୍ତି ଋଷ ସୈନ୍ୟ । ଗତକାଲି ଏହାର ପୂର୍ବାଞ୍ଚଳକୁ ଋଷ ସୈନ୍ୟ ସମ୍ପୂର୍ଣ୍ଣ ଅକ୍ତିଆର କରିଥିଲେ । ବିନା ପାଣି, ବିଦ୍ୟୁତ, ଖାଦ୍ୟ ଯୋଗୁ ହଜାର ହଜାର ଲୋକ ହାହାକାର ଘେରରେ ରହିଛନ୍ତି । ମାରିଉପୋଲକୁ କବଜା କରିବା କୌଶଳଗତ ଦୃଷ୍ଟିରୁ ଜରୁରୀ ହେଉଥିବାରୁ ଋଷ ସୈନ୍ୟ ଏଥିପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି ।

ଅନ୍ୟପଟେ ଖାରକିଭ୍, ଚେର୍ଣ୍ଣିହିବ, ସୁମି ଓ ଅନ୍ୟାନ୍ୟ ସହରକୁ ଘେରାବନ୍ଦୀ କରିଛନ୍ତି ଋଷ ସୈନ୍ୟ । ଋଷର ରକେଟ ମାଡରେ ଭାସିଲ କିଭସ୍ଥିତ ଏକ ଏୟାରବେସ୍ ସମ୍ପୂର୍ଣ୍ଣ ଧ୍ବଂସ ପାଇଛି । ପ୍ରାୟ ୨୫ ଲକ୍ଷ ଲୋକ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଛାଡିଲେଣି ବୋଲି ଜାତିସଂଘ ସୂଚନା ଦେଇଛି । ସେପଟେ ଜର୍ମାନ ଚାନସେଲର ଓଲାଫ ସ୍କଜ ଓ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ୟୁକ୍ରେନବାସୀଙ୍କ ଉପରେ ଋଷର ବର୍ବର ଆକ୍ରମଣ ତୁରନ୍ତ ବନ୍ଦ କରିବା ଉଚିତ ବୋଲି ସେ ଦାବି କରିଛନ୍ତି । ଆଲୋଚନା ପରେ ମାକ୍ରନ ସୂଚନା ଦେଇଛନ୍ତି ଯେ, ଋଷ ନିଜ ଜିଦରେ ଅଟଳ ରହିଛି ଏବଂ ଯୁଦ୍ଧରୁ ଓହରିବା ସମ୍ଭାବନା ନାହିଁ ।

ଅନ୍ୟପକ୍ଷରେ ଋଷ ସୈନ୍ୟଙ୍କ ହାତରେ ବନ୍ଦୀ ଥିବା ମେଲିଟୋପୋଲ ମେୟର ଇଭାନ ଫେଡରଭଙ୍କୁ ମୁକ୍ତି କରିବା ଦିଗରେ ପଦକ୍ଷେପ ନେବା ଲାଗି ଦୁଇ ନେତାଙ୍କୁ ଅନୁରୋଧ କରିଛନ୍ତି ଜେଲେନସ୍କି । ସେପଟେ ମାକ୍ରନ ଓ ସ୍କଜଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ଦ୍ବାରା ଆନ୍ତର୍ଜାତିକ ମାନବିକ ଆଇନର ବ୍ୟାପକ ଉଲ୍ଲଂଘନ ହେଉଥିବା ନେଇ ପୁଟିନ ଅଭିଯୋଗ କରିଥିଲେ । କିଭ୍ ଓ ମସ୍କୋ ମଧ୍ୟରେ ବିବାଦ ଟାଳିବା ଲାଗି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାତଫାଲି ବେନେଟଙ୍କ ହସ୍ତକ୍ଷେପ ଚାହିଁଛନ୍ତି ଜେଲେନସ୍କି । ଜେରୁଜେଲମରେ ପୁଟିନଙ୍କ ସହ ସେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।