ୟୁକ୍ରେନର ପୂରା ବ୍ରିଗେଡ କଲା ଆତ୍ମସମର୍ପଣ, ୧୦୨୬ ଯବାନ ଛାଡିଲେ ଅସ୍ତ୍ର

ମାରିୟୁପୋଲ: ୟୁକ୍ରେନର ଅନ୍ୟତମ ବନ୍ଦର ସହର ମାରିୟୁପୋଲ ଉପରେ ଋଷର ଘନଘନ ଆକ୍ରମଣ । ପର୍ଯ୍ୟଟନର ଏହି ସହର ଏବେ ପାଲଟିଛି ଧ୍ବଂସ ସ୍ତୁପ । ଏମିତି ଲାଗୁଛି, କୌଣସି ହଲିଉଡ ଫିଲ୍ମର ସେଟଅପ୍ । ଯୁଦ୍ଧ ଭିତରେ ମାରିୟୁପୋଲକୁ ନେଇ ଋଷ ତରଫରୁ କରାଯାଇଛି ବଡ ଦାବି । ୟୁକ୍ରେନର ପୂରା ବ୍ରିଗେଡ ଆତ୍ମସମର୍ପଣ କରିଥିବା ଋଷ ଦାବି କରିଛି । ଏହି ଆତ୍ମସମର୍ପଣରେ ୧୦୨୬ ୟୁକ୍ରେନୀ ଯବାନ ଅସ୍ତ୍ରଶସ୍ତ୍ର ଛାଡିଛନ୍ତି । ଏମାନଙ୍କ ମଧ୍ୟରେ ୧୬୨ ୟୁକ୍ରେନୀ ଅଧିକାରୀ ଅଛନ୍ତି ।

ଋଷ ପକ୍ଷରୁ କୁହାଯାଇଛି, ଡୋନବାସର ବିଦ୍ରୋହୀଙ୍କ ସହ ମିଶି ଋଷ ଯେଉଁ ଘେରାବନ୍ଦୀ କରିଥିଲା, ସେଥିରେ ବଡ ଧରଣର ସଫଳତା ମିଳିଛି । ମୁହାଁମୁହିଁ ଲଢେଇ ପରେ ମାରିୟୁପୋଲର ୯୫ ପ୍ରତିଶତ ଋଷ ନିୟନ୍ତ୍ରଣକୁ ନେଇ ସାରିଛି ।

ଏବେ ଋଷ ଟାର୍ଗେଟରେ କ୍ରିବରୀ

ଏବେ ଋଷ ଟାର୍ଗେଟରେ ରହିଛି କ୍ରିବରୀ । ଏହା ଖେରସନକୁ ଲାଗିକି ରହିଛି । ଏଠାରୁ ୫୦ କିମି ଦୂରରେ ଋଷ ସେନା ରହିଛି । ଏହା ରାଷ୍ଟ୍ରପତି ଜେଲେନସ୍କିଙ୍କ ଅଞ୍ଚଳ । ଏହାକୁ ଦଖଲକୁ ନେବାକୁ ଋଷ ଆକ୍ରମଣ ଜୋରଦାର କରିଛି । ସମୁଦ୍ର ପଥରେ ଏଠାକୁ ଯାତାୟତ ଉପରେ ରୋକ ଲଗାଇ ଦିଆଯାଇଛି । କ୍ରିବରୀ ୟୁକ୍ରେନର ଏକ ଇକୋମୋମିକ୍ ହବ ହୋଇଥିବା ବେଳେ ଇପ୍ସାତ ସେଣ୍ଟର । ଏଥିପାଇଁ ଏହା ଋଷ ଟାର୍ଗେଟରେ ରହିଛି । ସହର ବାହାରେ ଥିବା ୧୫ଟି ଗାଁରେ ମୁହାଁମୁହିଁ ଯୁଦ୍ଧ ଚାଲିଛି ।

ନରସଂହାର ପ୍ରମାଣ ନଷ୍ଟ କରୁଛି ଋଷ

ଋଷ ନରସିଂହାର ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ଅତି ଅମାନବୀୟ ଭାବେ ଋଷ ପ୍ରମାଣ ନଷ୍ଟ କରୁଛି । ମୋବାଇଲ ଶବଦାହ ଭ୍ୟାନ ଲଗାଇ ଋଷ ପ୍ରମାଣ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ମାରିୟୁପୋଲରେ ୧୩ଟି ମୋବାଇଲ ଶବଦାହ ଭ୍ୟାନ ଦେଖିବାକୁ ମିଳିଛି । ଏହାକୁ ବ୍ୟବହାର କରି ଋଷ ରାସ୍ତାରେ ପଡିଥିବା ଶବକୁ ଠିକଣା ଲଗାଉଛି ।