ପରିଚୟ ଦେଲା ଗେଣ୍ଡୁଫୁଲ, ମହିଳାଙ୍କୁ ରୋଜଗାର ସହ ଦେଇଛି ବଞ୍ଚିବାର ରାହା

ସୁନ୍ଦରଗଡ଼: ପରିଚୟ ଦେଲା ଗେଣ୍ଡୁଫୁଲ । ମହିଳାଙ୍କୁ ରୋଜଗାର ସହ ଦେଇଛି ବଞ୍ଚିବାର ରାହା । ସୁନ୍ଦରଗଡ଼ ଜିଲ୍ଲାର ୬ଟି ବ୍ଲକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଶୀତକାଳୀନ ଗେଣ୍ଡୁ ଫୁଲ ଚାଷ କରି ବେଶ୍ ଲାଭବାନ ହେଉଛନ୍ତି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଓ ଓଡ଼ିଶା ଜୀବିକା ମିଶନ ସହଯୋଗରେ ଆର୍ଥିକ ସ୍ତରରେ ଲାଭବାନ ହେଉଛନ୍ତି । ଜିଲ୍ଲାର ୬ଟି ବ୍ଲକରେ ପାଇଲଟ୍‌ ପ୍ରକଳ୍ପ ଭାବେ ଗେଣ୍ଡୁ ଫୁଲ ଚାଷ କରାଯାଉଛି । ସବଡେଗା, କୁତ୍ରା, ରାଜଗାଙ୍ଗପୁର, ବାଲିଶଙ୍କରା, ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକରେ ୧ ଏକର କରି ମୋଟ ୬ ଏକର ଜମିରେ ଏହି ଗେଣ୍ଡୁଫୁଲ ଚାଷ କରାଯାଇଛି । ଏଥିରେ ୧୮ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୧୮୦ ଜଣ ସଦସ୍ୟା ଯୋଡ଼ି ହୋଇଛନ୍ତି । ଏଥିପାଇଁ ମହିଳାଙ୍କୁ  ତାଲିମ ମଧ୍ୟ ଦିଆଯାଉଛି । ସୁନ୍ଦରଗଡ଼ ଜିଲ୍ଲାର ୬ଟି ବ୍ଲକ ଅଞ୍ଚଳରେ ଗେଣ୍ଡୁଫୁଲ ଚାଷ ସଫଳ ହେବା ପରେ ଜିଲ୍ଲାର ସମସ୍ତ ୧୭ ବ୍ଲକରେ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଗେଣ୍ଡୁଫୁଲ କିଲୋ ୪୦ ରୁ ୫୦ ଟଙ୍କା ଦରରେ ବିକ୍ରି କରୁଛନ୍ତି । ପ୍ରତି ବ୍ଲକରେ ୩ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଗୋଟିଏ କ୍ଲଷ୍ଟର ଗଠନ କରାଯାଇଛି । ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପ୍ରତି କ୍ଲଷ୍ଟରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଉଛି । ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି ।