ଲାଲବାହିନୀରେ କରୋନା ଭୟ… ସଂକ୍ରମଣ ସନ୍ଦେହରେ ମାଓନେତ୍ରୀ ସୁମିତ୍ରାଙ୍କୁ ଛୁଟି

Maoist sumitra sent on leave for corona fear

ଲାଲଗଡ: ଲାଲଗଡ଼ରେ କରୋନା ଭୟ । ମାଓ ନେତ୍ରୀଙ୍କୁ କରୋନା ସଂକ୍ରମଣ ସନ୍ଦେହ କରି ଘରକୁ ପଠାଇଲା ନକ୍ସଲ ସଙ୍ଗଠନ । କିନ୍ତୁ ଜଙ୍ଗଲରେ ଲୁଚି ରହିଥିବାବେଳେ ପୋଲିସ ହାବୁଡରେ ପଡିଲେ କୁଖ୍ୟାତ ମାଓ ନେତ୍ରୀ ସୁମିତ୍ରା । କୋର୍ଟ ଚାଲାଣ କରିବା ପୂର୍ବରୁ ତାଙ୍କୁ ସଙ୍ଗରୋଧରେ ରଖି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛି ପୋଲିସ । ଛତିଶଗଡର ବିଜାପୁର ଜିଲ୍ଲା ମୋଦକପାଲ ଥାନା ଅଞ୍ଚଳରେ ଜଣେ ମହିଳା ସନ୍ଦିଗ୍ଧ ଅବସ୍ଥାରେ ବୁଲାବୁଲି କରୁଥିବା ନେଇ ପୋଲିସ ଖବର ପାଇଥିଲା । ସର୍ଚ୍ଚ ଅପରେସନ ସମୟରେ ମହିଳାଙ୍କୁ ଠାବ କରିଥିଲା ପୋଲିସ । ମହିଳାଙ୍କ ଠାରୁ ମିଳିଥିବା ତଥ୍ୟ ପୋଲିସକୁ ଚକିତ କରିଛି । ମୋଦିପାଲ ଗାଁର ଚିନ୍ନାବାଙ୍କ ଝିଅ ସୁମିତ୍ରା ୨୦୧୦ରୁ ନକ୍ସଲ ସଙ୍ଗଠନରେ ରହିଛନ୍ତି ।

ତେବେ ଗତ କିଛି ଦିନ ହେବ ଥଣ୍ଡା , କାଶ ଓ ଜ୍ୱର ହେବାରୁ ନକ୍ସଲ ସଙ୍ଗଠନ ତାଙ୍କୁ ଛୁଟି ଦେଇଛି । ଗାଁକୁ ଫେରି ସେ ଜଙ୍ଗଲରେ ଥିଲେ । କେବଳ ସୁମିତ୍ରା ନୁହଁ ତାଙ୍କ ଭଳି ଅନ୍ୟ ଯେଉଁ ମାଓବାଦୀଙ୍କୁ ଥଣ୍ଡା କାଶ ହେଉଛି ତାଙ୍କୁ ଛୁଟିରେ ପଠାଇ ଦିଆଯାଉଛି ବୋଲି ସୁମିତ୍ରା କହିଛନ୍ତି । ମାଓ କମାଣ୍ଡର ହିଡମା ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିବା ସୁମିତ୍ରା ପୋଲିସକୁ ସୂଚନା ଦେଇଛନ୍ତି । ସୁମିତ୍ରା ୨୮ ଦିନ ସଙ୍ଗରୋଧରେ ରହିବା ପରେ ପୋଲିସ ତାଙ୍କୁ ପଚରା ଉଚରା କରିବ ବୋଲି ପୋଲିସ ଆଇଜି ସୁନ୍ଦରରାଜ ବି ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ସୀମାନ୍ତ ଓ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସଚେତନ କରିଛି ପୋଲିସ । ମାଓବାଦୀଙ୍କୁ ସହଯୋଗ ନ କରିବା ଏବଂ କୈାଣସି ଅଜଣା ଲୋକଙ୍କୁ ଗାଁରେ ନ ପଶାଇବାକୁ ପରାମର୍ଶ ଦେଇଛି ।

Leave a Reply