୧୦ ଜିଲ୍ଲାରେ ସୀମିତ ରହିଛି ମାଓବାଦୀ କାର୍ଯ୍ୟକଳାପ

ଭୁବନେଶ୍ବର: ରାଜ୍ୟର ୧୦ଟି ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ସୀମିତ ରହିଛି । ମାଲକାନଗିରି ସ୍ବାଭିମାନ ଅଞ୍ଚଳଠୁ ଆରମ୍ଭ କରି କଳାହାଣ୍ଡି, ରାୟଗଡା, କନ୍ଧମାଳ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରଶାସନର ଲୋକଭିମୁଖୀ କାର୍ଯ୍ୟ ଯୋଗୁଁ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି । ବିଧାନସଭା ଗୃହ ବିଭାଗ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ୨୦୨୧ରେ ୨୮ଟି ମାଓବାଦୀ କାର୍ଯ୍ୟକଳାପ ସଙ୍ଗଠିତ ହୋଇଥିବା ବେଳେ ଦୁଇଜଣ ସାଧାରଣ ନାଗରିକ ଓ ଜଣେ ସୁରକ୍ଷାକର୍ମୀଙ୍କ ପ୍ରାଣହାନୀ ଘଟିଥିଲା । ୮ ହାର୍ଡକୋର ମାଓବାଦୀ ଗିରଫ ହୋଇଥିଲେ ।

ମାଲକାନଗିରି, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡରେ ମାଓବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ୨୩୬ ଜଣଙ୍କୁ ଗିରଫ କରାଯାଇଛି । ୨୦୨୧ରେ ମୋଟ ଏକ ଲକ୍ଷ ୫୫ ହଜାର ୪୨୦ଟି ଧର୍ତ୍ତବ୍ୟ ମାମଲା ପଞ୍ଜିକୃତ ହୋଇଛି । ୨୦୨୧ରେ ମୋଟ୍ ୧୩୯୪ଟି ହତ୍ୟା ୫୫୫୨ଟି ଡକାୟତି, ୨୮୨୬ଟି ଲୁଟ, ୫୧୩୩ ସିନ୍ଧିଚୋରି, ୧୩ ହଜାର ୨୪ଟି ଚୋରି, ୩୩୦୦ ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି । ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଥିବାରୁ ୨୦୨୧ରେ ୧୧୬ଟି ମାମଲାକୁ ରେଡପ୍ଲାଗ ମାମଲା ଭାବେ ବିବେଚନା କରି ତଦନ୍ତ କରିଥିଲା । ଏହିସବୁ ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା । ରେଡଫ୍ଲାଗ ମାମଲାରେ ୨୦୨୧ରେ ଅପରାଧ ସାବ୍ୟସ୍ତ ହାର ୪୫.୨୮ ପ୍ରତିଶତ ଥିଲା । ନାବାଳକ ଶିଶୁଙ୍କ ଅପହରଣକୁ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଆଣ୍ଟି ହ୍ୟୁମନ ଟ୍ରାଫିକିଂ ୟୁନିଟ୍ ସ୍ଥାପନ କରିଛନ୍ତି ।  ଏହାଦ୍ବାରା ୨୫୮ ପୁଅ ଓ ୧୫୦୬ ଝିଅଙ୍କୁ ଉଦ୍ଧାର କରାଯାଇପାରିଛି ।

୨୦୨୧ରେ ୭୭ଟି ସାଇବର ଅପରାଧ ପଞ୍ଜିକୃତ ହୋଇଛି । ଏଥିରେ ୧୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ଟି ଘଟଣାରେ ଆନ୍ଥଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ରହିଥିଲା । ସେହିଭଳି ୨୦୨୧ରେ ୧୭ଟି ଅର୍ଥନୌତିକ ଅପରାଧୀକ ମାମଲାରେ ୨୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ମୋଟ ୪ କୋଟି ୭୦ ଲକ୍ଷ ଟଙ୍କା ଜବତ କରାଯାଇଛି । ସେହିଭଳି ରାଜ୍ୟରେ ୨୦୨୧ରେ ୨୮ଟି ବେଆଇନ ମାଦକ ଦ୍ରବ୍ୟ ଚୋରା ଚାଲଣ ମାମଲା ପଞ୍ଜିକୃତ ହୋଇଛି ।