ରାଜ୍ୟରେ କମୁଛି ମାଓବାଦୀଙ୍କ ଉପଦ୍ରବ, ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଅଭୟଙ୍କ ଆହ୍ୱାନ୍‌

Maoist

ଭୁବନେଶ୍ୱର: ରାଜ୍ୟରେ କମୁଛି ମାଓ କାର୍ଯ୍ୟକଳାପ । ଗତ ୫ ବର୍ଷ ହେବ ମାଓବାଦୀମାନେ କମ୍ ହିଂସା ଭିଆଇଛନ୍ତି । ଉପାନ୍ତ ଅଞ୍ଚଳର ବିକାଶମୂଳକ କାମ ସାଙ୍ଗକୁ ପୋଲିସ୍‌ର ଦୃଢ଼ ତଥା ଜବାବୀ ଯୋଜନା ପାଇଁ ମାଓ ହିଂସା କମିଛି । ଏଥିପାଇଁ ୫ଟି ଜିଲ୍ଲାକୁ ମାଓମୁକ୍ତ ଜିଲ୍ଲା ଭାବରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାସହ ବାକି ୧୦ଟି ଜିଲ୍ଲାରେ ମାଓବାଦୀମାନେ ସକ୍ରିୟ ରହିଥିବାରୁ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି ପୋଲିସ୍ ଡିଜି ଅଭୟ ।

ଓଡିଶାରେ ୩ ଦଶନ୍ଧି ଧରି ମାଓ କାର୍ଯ୍ୟକଳାପ ଜାରି ରହିଛି । ୨୦୧୨ ମସିହାରେ ମାଓବାଦୀଙ୍କ କବଜାରେ ଥିଲା ଅଧା ଓଡିଶା । ୧୯ଟି ଜିଲ୍ଲାରେ ସକ୍ରିୟ ଥିଲେ ଲାଲବାହିନୀ । କିନ୍ତୁ ଉପଯୁକ୍ତ ପଦକ୍ଷେପ ଯୋଗୁଁ ୨୦୧୮ରେ ଏହି ସଂଖ୍ୟା ୧୩ କୁ ଖସି ଆସିଥିଲା । ଗଞ୍ଜାମ, ଗଜପତି, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ମାଓମୁକ୍ତ ହୋଇଥିଲା । ପୁଣିଥରେ ଅନୁଗୁଳ ଓ ବୌଦ୍ଧରେ ଦୁଇଟି ଜିଲ୍ଲାରେ ମାଓ କାର୍ଯ୍ୟକଳାପ ବଢ଼ି ୧୫ ଜିଲ୍ଲାରେ ଆତଙ୍କ ଖେଳାଇଥିଲେ ମାଓବାଦୀ । ତେବେ ୨୦୨୦ରେ ଅନୁଗୁଳ, ବୌଦ୍ଧ, ଦେଓଗଡ଼, ନୟାଗଡ଼ ଓ ସମ୍ବଲପୁର ଏପରି ୫ଟି ଜିଲ୍ଲା ମାଓମୁକ୍ତ ହୋଇଛି । ଗୁଇନ୍ଦା ସୂଚନା ଅନୁସାରେ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ମଡର୍ଣ୍ଣ ଟେକ୍‌ନୋଲୋଜି ପାଇଁ ନକ୍ସଲଙ୍କ ଉପରେ ଭାରି ପଡୁଛି ମିଳିତ ପୋଲିସ ଫୋର୍ସ ।

୨୦୧୮ ପରଠାରୁ ମାଓ ହିଂସାକାଣ୍ଡ ହ୍ରାସ ପାଇବା ଯୋଗୁଁ ଆଦିବାସୀଙ୍କ ପାଖରେ ପହଞ୍ଚୁଛି ସରକାରୀ ବିକାଶ ମୂଳକ ଯୋଜନା । ନକ୍ସଲଙ୍କ ହାତ ଛାଡ଼ି ସରକାରଙ୍କୁ ସମର୍ଥନ କରୁଛନ୍ତି ଆଦିବାସୀ ଓ ସ୍ଥାନୀୟ ଲୋକେ । ଚଳିତ ବର୍ଷ ଯେଉଁ ୫ଟି ଜିଲ୍ଲା ମାଓମୁକ୍ତ ହୋଇଛି ସେଠାରେ ଏସ୍‌ଆରଇ ଫଣ୍ଡ ବା ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ ବନ୍ଦ କରାଯାଇଛି । ଏହି ଯୋଜନା ମାଧ୍ୟମରେ ମାଓ ଅଧ୍ୟୁଷିତ ଜିଲ୍ଲା ମାନଙ୍କରେ ଦକ୍ଷତା ବୃଦ୍ଧି ଜନିତ କାର୍ଯ୍ୟକ୍ରମ କରାଯାଇଥାଏ । ଡିଜିପି କହିଛନ୍ତି, ଗତ ୨ ବର୍ଷ ଭିତରେ ଏହି ୫ଟି ଜିଲ୍ଲାରେ ସେଭଳି କୌଣସି ମାଓ ଗତିବିଧି ନ ଥିଲା । ପୋଲିସର ଦୃଢ଼ ତଥା ସୁରକ୍ଷା ଜବାବୀ ପଦକ୍ଷେପ ଓ ରାଜ୍ୟ ସରକାରଙ୍କ ଫଳପ୍ରଦ ନୀତି ଯୋଗୁଁ ଗତ ଦୁଇ ବର୍ଷରେ ରାଜ୍ୟରେ ୧୧ଟି ଜିଲ୍ଲାକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଛି । ଯାହାକୁ କେନ୍ଦ୍ର ସରକାର ଭୂୟସୀ ପ୍ରଂଶସା କରିଛନ୍ତି ।

Leave a Reply