ଜୋରଦାର ହେଲା ମାଓ ନିପାତ ଅଭିଯାନ, ମାଓବାଦୀଙ୍କ ବିରୋଧରେ ବଡ଼ ଅପରେସନ

1 min read

ବୌଦ୍ଧ: ବୌଦ୍ଧରେ ଜୋରଦାର ହେଲା ମାଓ ନିପାତ ଅଭିଯାନ । ମାଓବାଦୀଙ୍କ ବିରୋଧରେ ବଡ଼ ଅପରେସନ। ଜଙ୍ଗଲରେ ଲାଲବାହିନୀକୁ ଘେରିବାକୁ ସ୍ପେଶାଲ ପ୍ଲାନ। ଗତକାଲି ମନମୁଣ୍ଡା ଥାନା ପେନାଜୋର ଜଙ୍ଗଲରେ ମାଓବାଦୀ ଓ SOG ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଆଜି ବୌଦ୍ଧ ଓ କନ୍ଧମାଳ ଉଭୟ ପଟୁ କୁମ୍ବିଂ ଅପରେସନ ଜାରି ରହିଛି। କନ୍ଧମାଳପଟୁ ୭ଟି ଓ ବୌଦ୍ଧପଟୁ ୫ଟି ଟିମ୍ ଅପରେସନରେ ସାମିଲ ହୋଇଛନ୍ତି । ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ବୌଦ୍ଧ ଏସପି ସୂଚନା ଦେଇଛନ୍ତି। ଗତକାଲି ଶଗଡା ଅଞ୍ଚଳର ନଳୀକୁପା ଗାଁ ପାଖ ପେନାଜୋର ଜଙ୍ଗଲରେ ମାଓବାଦୀ ଓ SOG ଯବାନଙ୍କ ମଧ୍ୟରେ ୨ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ହୋଇଥିଲା । ଏଥିରେ ସୁରକ୍ଷା ବାହିନୀର କୌଣସି ଯବାନଙ୍କ ମୃତ୍ୟୁ ହୋଇନଥିବା ଏସପି ସୂଚନା ଦେଇଛନ୍ତି। ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁପା, ବଲମତୁମ୍ବା, ଅଡ଼ସିଂ ଓ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ମାଲାକିରା, ଗଙ୍ଗରମା ଓ କୁମ୍ଭାରୁଆ ଆଦି ଅଞ୍ଚଳରେ ମାଓ ଗତିବିଧି ରହିଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ଶଗଡ଼ା ଫାଣ୍ଡି ତିଲପଙ୍ଗା ଅଂଚଳରେ ମାଓ ପୋଷ୍ଟର ମଧ୍ୟ ଲାଗିଥିଲା।

ସେହିପରି ଗତ ମାସ ୧୯ ତାରିଖରେ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ରାବଣେଶ୍ବର ଜଙ୍ଗଲରେ ୩୫ରୁ ୪୦ ଜଣ ମାଓବାଦୀ ବୁଲୁଥିବା ସୂଚନା ମିଳିଥିଲା। ବୌଦ୍ଧ ଡିଭିଏଫ ଓ ଏସଓଜି ଯବାନ କୁମ୍ବିଂ ଅପରେସନ କରିବା ବେଳେ ମାଓବାଦୀ ମାନେ ବୋମା ପକାଇଥିଲେ। ପରେ ଉଭୟ ପଟୁ ଗୁଳି ବିନିମୟ ହୋଇଥିଲା । ଶେଷରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେବା ସହ ସୁରକ୍ଷା ବାହିନୀ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରଥିଲା ।