spot_img

Latest Posts

କଟକକୁ ମାଞ୍ଜା ଭୟ: ମକର ପୂର୍ବରୁ ସଜାଗ ପ୍ରଶାସନ, ଆରମ୍ଭ ହେଲା ସଚେତନତା

କଟକକୁ ମାଞ୍ଜା ଭୟ । ମକର ପୂର୍ବରୁ ସଜାଗ ପ୍ରଶାସନ । ଆରମ୍ଭ ହେଲା ସଚେତନତା । ପାଖେଇ ଆସିଲାଣ ମକର ସଂକ୍ରାନ୍ତି । ପିଲାଙ୍କ ଠାରୁ ଆରମ୍ଭ କରି ଯୁବକଙ୍କ ପର୍ଯ୍ୟନ୍ତ ସମସ୍ତେ ହାତରେ ନଟେଇ, ଡୋର ଓ ଗୁଡି ଧରି କୋଠା ଉପର, ଖୋଲା ପଡିଆ ଓ ନଦୀ ବାଲିରେ ଉଡ଼ାଇବେ ଗୁଡ଼ି । ତେବେ ଏହି ଉତ୍ସାହ କିଛି ବର୍ଷ ହେଲା ଅନ୍ଯମାନଙ୍କ କାଳ ସାଜିଛି । ଚାଇନିଜ ଲାଇଲନ ଓ ବିଦେଶରୁ ଆସୁଥିବା ମାଞ୍ଜା ସୂତା ବିପଦ ସାଜିଛି । ରାସ୍ତାରେ ଗଲା ବେଳେ ଅନେକ ସମୟରେ ବାଇକ ଆରୋହୀ ଓ ଯାତ୍ରୀ ଆହତ ହେଉଛନ୍ତି । ତେଣୁ ଏଭଳି ବିପଦଜନକ ସୂତା ବ୍ୟବହାର ନ କରିବାକୁ ସହରରେ ସଚେତନତା ସୃଷ୍ଟି କରୁଛି ସ୍ବେଛାସେବୀ ସଂଗଠନ । ୫ ଦିନ ସହରରେ ସଚେତନତା ଗାଡ଼ି ବୁଲି ଲୋକଙ୍କୁ ସଚେତନ କରିବ ।

ଉତ୍ସବ ପାଳିବା ଆଳରେ ମାଞ୍ଜା ସୂତା ସାଜିଛି ବିପଦ । ପୋଲିସ ପକ୍ଷରୁ ନନ୍ଦି ସାହି, ଚୌଧୁରୀବଜାର ଓ ଝୋଲାସାହିରେ ଚଢ଼ାଉ କରାଯାଇଥିଲା । କିଛି ବିପଦଜନକ ସୂତା ଝୋଲାସାହିରୁ ଜବତ କରିବା ସହିତ ସଂପୃକ୍ତ ବ୍ୟବସାୟୀଙ୍କୁ ଅର୍ଥଦଣ୍ଡ ଦେଇ ତାଗିଦ କରି ଛାଡି ଦେଇଥିଲା ପୋଲିସ । ସେପଟେ ନିକଟରେ ୪୨ ମୌଜାରେ ଜଣେ, ମଲ୍ଲାଚଣ୍ଡିଆ ଛକରେ ଜଣେ ଓ ସତୀଚଉରା ଅଂଚଳରେ ଜଣେ ଗୁଡ଼ି ସୂତା ଲାଗି ଆହତ ହୋଇଥିଲେ । ଏପରିକି ୩ ବର୍ଷ ତଳେ ଜଗତପୁର ଅଂଚଳରେ ଜଣେ ନବବିବାହିତ ଯୁବକ ଓ ୫ ବର୍ଷ ତଳେ କଟକ ବମ୍ଫକୁଦରେ ଜାତୀୟ ରାଜପଥରେ ମାଞ୍ଜା ସୂତା ଲାଗି ଜଣେ ଛୋଟ ଝିଅ ବାଇକରେ ବାପା ମାଆଙ୍କ ସହ ଯାଉଥିବା ବେଳେ ମୃତ୍ୟୁ ହୋଇଥିଲା । ଅନେକ ସମୟେର କାହାର ଆଙ୍ଗୁଠି କଟିଛି ତ କାହାର ତଣ୍ଟି । ତଥାପି ମାନୁ ନାହାନ୍ତି ଅମାନିଆ । ତେବେ ପର୍ବ ପାଳନ କରିବାକୁ କେହି ଆକଟ କରୁ ନାହାନ୍ତି, କିନ୍ତୁ ଏପରି ବିପଦପୂର୍ଣ୍ଣ ସୂତା ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ବୁଦ୍ଧିଜୀବୀ । ଆଉ ଗୋଟିଏ ଦିନ ପରେ ମକର ସଂକ୍ରାନ୍ତି । ଏହା ପୂର୍ବରୁ ସଚେତନ ହେଲେ ମକର ପର୍ବ ସମସ୍ତଙ୍କ ପାଇଁ ଖୁସି ଆଣନ୍ତା ବୋଲି କହିଛନ୍ତି ସହରବାସୀ ।

Latest Posts

Don't Miss