ରତ୍ନଭଣ୍ଡାର ଖୋଲିବା ପରେ ବି ଥମୁନି ରାଜନୀତି

1 min read

ପୁରୀ: ଖୋଳିଛି ରତ୍ନଭଣ୍ଡାର । ହେଲେ ଥମିବାର ନାଁ ନେଉନି ରାଜନୀତି । ବାହାର ଓ ଭିତର ରତ୍ନ ଭଣ୍ଡାର ଖୋଲିବା ପରେ କାହିଁକ ରାଜ୍ୟ ସରକାର ସ୍ପଷ୍ଟତା ରଖୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । କଂଗ୍ରେସ ଦାବି କରିଛି- ତୁରନ୍ତ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ । ସେପଟେ ରତ୍ନଭଣ୍ଡାରକୁ ନେଇ ସାଧାରଣରେ ଉଠୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି ବିଜେଡି । ଆଇନମନ୍ତ୍ରୀ କହିଛନ୍ତି, ପୁଣି ଥରେ ଭିତର ରତ୍ନଭଣ୍ଡାର କେବେ ଖୋଲିବ, ତାହା ଖୁବ ଶୀଘ୍ର ଘୋଷଣା କରାଯିବ । ଯେଉଁ ସବୁ ଅଭିଯୋଗ ଆସୁଛି, ତାହା ତଦନ୍ତ ସାପେକ୍ଷ । ସେପଟେ ରତ୍ନଭଣ୍ଡାର ଖୋଲିବାକୁ ନେଇ ଆରମ୍ଭ ହୋଇଛି ଶ୍ରେୟ ନେବା ରାଜନୀତି ।

କଂଗ୍ରେସ କହିଛି, ରତ୍ନଭଣ୍ଡାର ଖୋଲିବାକୁ ଓ ଗଣତି କରିବାକୁ ଆମେ ପ୍ରଥମେ ଦାବି କରିଥିଲୁ । ରତ୍ନଭଣ୍ଡାର ଖୋଲିବାର ଥିଲା ଓ ଖୋଲିଛି । ହେଲେ ଏହାର ଚାବିକୁ ନେଇ ଉଠିଥିବା ବିବାଦ ସମେତ ଅନ୍ୟ ସବୁ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବା ଦରକାର । ଏହାସହ ଜଷ୍ଟିସ ରଘୁବୀର ଦାସ କମିଟିର ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛି ଏହି ଦଳ । ଅନ୍ୟପଟେ ରତ୍ନଭଣ୍ଡାରକୁ ନେଇ ରାଜ୍ୟ ସରକାର ସ୍ପଷ୍ଟତା ଆଣନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ ବିଜେଡି ନେତା ଶଶିଭୂଷଣ ବେହେରା । ବାହାର ଓ ଭିତର ରତ୍ନଭଣ୍ଡାରର ରକ୍ଷଣବେକ୍ଷଣ ସହ ସବୁ ଦିଗକୁ ସରକାର ଗୁରୁତ୍ବ  ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ଅନ୍ୟପଟେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯାଇଛି । ଅଳଙ୍କାର ସ୍ଥାନାନ୍ତର କରି ମରାମତି କରିବାକୁ ଭିତର ରତ୍ନଭଣ୍ଡାର ପୁଣି କେବେ ଖୋଲାଯିବ, ତାହା ଶୀଘ୍ର ନିଷ୍ପତ୍ତି ନିଆଯିବ । ଭିତର ରତ୍ନଭଣ୍ଡାର ଚାବିକୁ ନେଇ ଉଠିଥିବା ବିବାଦକୁ ନେଇ ମାପିଚୁପି ବୟାନ ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ତଦନ୍ତ ପରେ ଚାବି କଥା ସ୍ପଷ୍ଟ ହେବ ।

ରତ୍ନଭଣ୍ଡାର ଖୋଲିବା ପରେ ବି ରାଜନୈତିକ ବିବାଦ ଏହାର ପିଛା ଛାଡୁ ନାହିଁ । କାହିଁକି ରାଜ୍ୟ ସରକାର ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରୁନାହାନ୍ତି, ତାକୁ ନେଇ ଘେରିଛନ୍ତି ବିରୋଧୀ । ଏହା ପୂର୍ବରୁ ୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ଯମ ହୋଇଥିଲେ ବି ତାହା ସଫଳ ହୋଇ ନଥିଲା ।