୫ ଜିଲ୍ଲାରେ ଦୁର୍ଦ୍ଦଶା ବଢ଼ାଇଲା ବନ୍ୟା, ଗାଁ ଗାଁରେ ବଢ଼ି ପାଣି

1 min read

ଭୁବନେଶ୍ୱର(ନନ୍ଦିଘୋଷ ବ୍ୟୁରୋ): ସକାଳେ କମିଲା, ମଧ୍ୟାହ୍ନରେ ପୁଣି ବଢିଲା। ବନ୍ୟା ଯୋଗୁଁ ମହାନଦୀର ଜଳସ୍ତର ବଢ଼ୁଛି। ମହାନଦୀ ଓ ଶାଖା ନଦୀଗୁଡ଼ିକର ସ୍ଥିତି ଉଦବେଗଜନକ ରହିଛି। ନଇ ବଢିରେ ନୟାଗଡ, କଟକ, କେନ୍ଦ୍ରାପଡା, ଝାରସୁଗୁଡ଼ା ଓ ଜଗତସିଂହପୁର ଭଳି ଅନେକ ଜିଲ୍ଲା ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇ ଗ୍ରାମାଞ୍ଚଳରେ ପାଣି ପଶିଛି। ଡଙ୍ଗାକୁ ସାହାରା କରି ଲୋକେ ଯାତାୟତ କରୁଛନ୍ତି।

ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଛୋଟ ଛୋଟ ଘଳିଆ ଲୋକଙ୍କ ନିଦ ହଜାଇ ଦେଲାଣି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ଦେବୀ ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଉପକୂଳ ଓଡ଼ିଶାରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଲୋକଙ୍କ ପାଇଁ ମଟର ବୋଟର ବ୍ୟବସ୍ଥା କରିଛି ପ୍ରଶାସନ। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଛି ସ୍ଥାନାନ୍ତରଣ। ଶୁଖିଲା ଓ ରନ୍ଧା ଖାଦ୍ୟ ବନ୍ୟା ବିପନ୍ନଙ୍କୁ ଯୋଗାଇ ଦିଆଯାଉଛି। ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’, ବୋଲି  ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରକୁ କାର୍ଯ୍ୟକାରୀ କରୁଛି ପ୍ରଶାସନ।Flood

ନୟାଗଡର ବିଭିନ୍ନ ଅଞ୍ଚଳ। ଅନେକ ପଞ୍ଚାୟତ ଜଳମଗ୍ନ। ଗଣିଆ ବ୍ଲକରେ ନାଆ ପାଲଟିଛି ସାହା। ବନ୍ୟା ପାଣିରେ ଡଙ୍ଗା ସାହାଯ୍ୟରେ ଲୋକେ ଯାତାୟତ କରୁଛନ୍ତି । ବିଚ୍ଛିନ୍ନ ହୋଇଛି ଖୋର୍ଦ୍ଧା-ନୟାଗଡ଼। ବାଘମାରି ନିକଟରେ ରାସ୍ତାକୁ ବନ୍ଦ କରିଛି ପ୍ରଶାସନ । ସେହିଭଳି ପାଣିରେ ଉବୁଟୁବୁ କଟକ ଜିଲ୍ଲାର ବିଭିନ୍ନ ପଞ୍ଚାୟତ । ବଡମ୍ବା ନରସିଂହପୁରରେ ବନ୍ୟା ବିଭୀଷିକା । ବାଙ୍କୀ, ଡମପଡା, ବଡମ୍ବା, ନରସିଂହପୁରରେ ପଶିଛି ମହାନଦୀ ପାଣି। ଏପର୍ଯ୍ୟନ୍ତ ମୋଟ ୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଆସନ୍ତା ୨୪ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ରହିଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କଟକ ଜିଲ୍ଲାପାଳ ବନ୍ୟାଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସେପଟେ କେନ୍ଦ୍ରାପଡା ମାହାଙ୍ଗା ନିଶ୍ଚିନ୍ତକୋଇଲି ବ୍ଲକର ଜଳବନ୍ଦୀ ଅବସ୍ଥାରେ ୪ ଟି ଗାଁ ।  ବନ୍ୟା ଆଶ୍ରୟସ୍ଥଳକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଓଡ୍ରାଫ ଟିମ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛନ୍ତି। ମହାନଦୀରେ ବନ୍ୟା ଯୋଗୁଁ ସାତକୋଶିଆ ପର୍ଯ୍ୟଟନସ୍ଥଳୀ ପାଣି ଘେରରେ ରହିଛି। ଟିକରପଡା ପଞ୍ଚାୟତର ୬ଟି ଗାଁ ଜଳବନ୍ଦୀ ହୋଇଛି। ଝାରସୁଗୁଡ଼ାରେ ମଧ୍ୟ ଦେଖବାକୁ ମିଳିଛି ବନ୍ୟା ବିତ୍ପାତ । ଉପର ମୁଣ୍ଡରୁ ବର୍ଷା ଯୋଗୁ ଲଖନପୁର ବ୍ଲକରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜଗତସିଂହପୁର ଜିଲ୍ଲାରେ ଦେବୀ ମହାନଦୀ,ଓ ପାଇକାନଦୀରେ ବନ୍ୟାଜଳ ଆସିବାରୁ ଅଧିକାଂଶ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ଜିଲ୍ଲାର ତ୍ରିର୍ତ୍ତୋଲ ତଳିଆ ଅଞ୍ଚଳରେ ବନ୍ୟା ପାଣି ଲହଡି ଭାଙ୍ଗୁଛି। ଗତକାଲି ଦୁଇଟି ଘାଇ ହୋଇଥିବା ବେଳେ ଆଜି ଆଉ ୨ ଘାଇ ସୃଷ୍ଟି ହୋଇ ଜଗତସିଂହପୁରବାସୀଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି।