କେନ୍ଦ୍ରର ଦାବି ଧୂଆଁବାଣ: ଅଭିବୃଦ୍ଧିରେ ୨୫ ପ୍ରତିଶତ ଅବଦାନ ଦେଇ ପାରିନି ମାନ୍ୟୁଫାକ୍ଚରିଂ ଶିଳ୍ପ

1 min read

ଭୁବନେଶ୍ବର: ଦେଶର ଅଭିବୃଦ୍ଧିରେ ୨୫ ପ୍ରତିଶତ ଅବଦାନ ଦେଇପାରିନି ମାନ୍ୟୁଫାକ୍ଚରିଂ ଶିଳ୍ପ । ୧୦ ବର୍ଷ ଭିତରେ ମାତ୍ର ୧୭.୭ ପ୍ରତିଶତ ମାନ୍ୟୁଫାକ୍ଚରିଂ ଶିଳ୍ପ ବୃଦ୍ଧି ଘଟିଛି । ଏଥିପାଇଁ ଦାୟୀ କେନ୍ଦ୍ର ସରକାରଙ୍କ ନୀତି । ଦେଶର ଅଭିବୃଦ୍ଧିରେ ୨୫ ପ୍ରତିଶତରୁ ଅଧିକ ମାନ୍ୟୁଫାକ୍ଚରିଂ ଶିଳ୍ପ ଯୋଗଦାନ କରିବ ବୋଲି କେନ୍ଦ୍ର ସରକାରଙ୍କ ୨୦୧୪ ଦାବି ଏବେ ଧୂଆଁବାଣରେ ପରିଣତ ହୋଇଛି । ଯେ ପର୍ଯ୍ୟନ୍ତ କୃଷି ଓ ସେବା କ୍ଷେତ୍ର ସହିତ ଶିଳ୍ପ କ୍ଷେତ୍ରକୁ ଯୋଡ଼ି ନ ଦିଆଯାଇଛି ସେ ପର୍ଯ୍ୟନ୍ତ ମାନ୍ୟୁଫାକ୍ଚରିଂ ଶିଳ୍ପ ଦେଶରେ ଉଧେଇ ପାରିବନି ।

୨୦୧୪ ଏନଡିଏ ସରକାରଙ୍କ ପ୍ରଥମ ପାଳି । କହିଥିଲେ ଦେଶର ମୋଟ ଅଭିବୃଦ୍ଧିରେ ୨୫ ପ୍ରତିଶତରୁ ଅଧିକ ଅବଦାନ ରଖିବ ମାନ୍ୟୁଫାକ୍ଚରିଂ ଶିଳ୍ପ । ୧୦ ବର୍ଷ ପରେ ହେଇଛି କ’ଣ ? ମେକ୍-ଇନ୍-ଇଣ୍ଡିଆ, ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ଯେତେ ଯାହା କଲେ ଉତ୍ପାଦନ ଶିଳ୍ପର ଯୋଗଦାନ ମାତ୍ର ୧୭.୭ ପ୍ରତିଶତ । ଯାହାକୁ ନେଇ ଏବେ କେନ୍ଦ୍ର ସରକାରଙ୍କ ନୀତି ଉପରେ ଉଠିଛି ପ୍ରଶ୍ନ ।

ଖଣି ସରୁଛି, ଶିଳ୍ପ ପ୍ରତିଷ୍ଠା ହେଉଛି । ହେଲେ ବେରୋଜଗାରୀ ଯାଉନି କି ଲୋକଙ୍କ କ୍ରୟଶକ୍ତି ବଢୁନି । ଅଭିଯୋଗ ହୋଇଛି, କ୍ରୋନି କ୍ୟାପିଟାଲିଜିମ୍ ଯୋଗୁଁ ଉତ୍ପାଦନ ଶିଳ୍ପ ଆଶାନୁରୂପ ଉଧେଇ ପାରୁନାହାନ୍ତି । ଅର୍ଥାତ ରାଜନୈତିକ ଓ ବ୍ଯବସାୟୀ ବର୍ଗଙ୍କ ଭିତିରି ବୁଝାମଣା ଯୋଗୁଁ ଶିଳ୍ପ ସଂସ୍ଥା ଆଗକୁ ବଢିପାରୁ ନାହାଁନ୍ତି । କିଛି ମୁଷ୍ଟିମେୟ ପୁଞ୍ଜିପତି ଷ୍ଟକ ବଜାରରେ ନିଜ ଅଂଶଧନକୁ ଏପଟ ସେପଟ କରି ଅଭିବୃଦ୍ଧିର ଚିତ୍ର ଆଙ୍କୁଛନ୍ତି । ଭାରତ କୃଷି ପ୍ରଧାନ ରାଷ୍ଟ୍ର ହୋଇ ବି କୃଷି କ୍ଷେତ୍ର ସହିତ ଶିଳ୍ପକୁ କେନ୍ଦ୍ର ସରକାର ଯୋଡି ହେଲା ଭଳି କୌଣସି ନୀତି କରିନାହାନ୍ତି । ଏବେ ବି ଚୀନରୁ ଆମଦାନୀ ନ ହେଲେ ଉତ୍ପାଦନ ହୋଇପାରୁନି । ଯେ ପର୍ଯ୍ୟନ୍ତ କୃଷି, ସେବା କ୍ଷେତ୍ରକୁ ସମନ୍ବିତ ଭାବେ ଶିଳ୍ପ କ୍ଷେତ୍ର ସହିତ ସାମିଲ କରା ନଯିବ ସେ ପର୍ଯ୍ୟନ୍ତ ଦେଶର ଅଭିବୃଦ୍ଧିରେ ମାନ୍ୟୁଫାକ୍ଚରିଂ ଜଗତ ଆଖଦୃର୍ଶିଆ ଅବଦାନ କରିପାରିବନି ।

ଅଧିକ ନିଯୁକ୍ତି ସୃଷ୍ଟି କରିବାରେ ଏମଏସଏମଇ ଶିଳ୍ପର ବଡ଼ ଯୋଗଦାନ କରିଥାଏ । ଦେଶରେ ୧୧ କୋଟି ନିଯୁକ୍ତି ଏହି ଶିଳ୍ପ ଦେଇଛି । ଏନଡିଏ ସରକାର କ୍ଷମତାକୁ ଆସିବା ପରେ ପ୍ରଡକ୍ସନ୍ ଲିଙ୍କ୍ ଇନସେଣ୍ଟିଭସ୍ ଦେବା ପାଇଁ ନୀତି ନିର୍ଦ୍ଧାରଣ କଲେ । ଏବେ ଶିଳ୍ପରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ଦେବା ପାଇଁ ଚଳିତ ଥର ବଜେଟରେ ୨ ଲକ୍ଷ କୋଟି ବ୍ୟୟ ବରାଦ ହୋଇଛି । କିନ୍ତୁ ମୂଳ କଥା ହେଉଛି, ଯେ ପର୍ଯ୍ୟନ୍ତ ଶ୍ରମ ଆଇନରେ ସଂସ୍କାର ନ ଆସିଛି ସେ ପର୍ଯ୍ୟନ୍ତ ଉତ୍ପାଦନ ଆଶାଜନକ ହେବ ନାହିଁ ।

ଏ କଥା ସତ ଯେ, ପ୍ରତିବର୍ଷ ମାନ୍ୟୁଫାକ୍ଚରିଂ ଶିଳ୍ପ ପ୍ରାୟ ୪.୫ ପ୍ରତିଶତ ହାରରେ ଅଭିବୃଦ୍ଧି କରୁଛି । କୋଭିଡ ପରେ ଇଉରୋପରେ ଯୁଦ୍ଧ ସ୍ଥିତି ଓ ଆମେରିକାରେ ମାନ୍ଦାବସ୍ଥା ଯୋଗୁଁ ଭାରତର ରପ୍ତାନୀ ପ୍ରଭାବିତ ହୋଇଛି । ଅନ୍ୟ ରାଜ୍ୟରେ ଏମଏସଏମଇ ଶିଳ୍ପ ଭଲ ବିକାଶ କରିଥିବାବେଳେ ଓଡ଼ିଶା ପଛୁଆ ରହିଛି । ଯେ ପର୍ଯ୍ୟନ୍ତ ସରକାରୀ ପ୍ରୋତ୍ସାହନ ଓ ଇଜ୍-ଅଫ୍-ଡୁଇଙ୍ଗ ଏକସାଥିରେ ଗତି ନ କରିବ ସେ ପର୍ଯ୍ୟନ୍ତ ମୋଟ ଜିଡିପିରେ ମାନ୍ୟୁଫାକ୍ଚରିଂ ଶିଳ୍ପର ଯୋଗଦାନ ଆଶାନୁରୂପ ବଢିବନି ।

ରାଜ୍ୟ ହେଉ କି କେନ୍ଦ୍ର ଶାସିତ ଅଞ୍ଚଳ । ସବୁଠି ଭାରି ଶିଳ୍ପ କରିବା ସମ୍ଭବ ନୁହେଁ । ଏ କଥା ବି ସତ ଭାରି ଶିଳ୍ପ ସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ସମାନ ଭାବେ ଗୁରୁତ୍ବ ନ ଦେଲେ ବେରୋଜଗାରୀ ଦୂର କରି ହେବ ନାହିଁ ।