ତେଜିଲା ମୌସୁମୀ ଅଧିବେଶନ ପଲିଟିକ୍ସ; କାହିଁକି ବିଳମ୍ବ ହେଉଛି ଅଧିବେଶନ ?

1 min read

ନନ୍ଦିଘୋଷ ବ୍ୟୁରୋ : ତେଜିଲା ମୌସୁମୀ ଅଧିବେଶନ ପଲିଟିକ୍ସ । କାହିଁକି ବିଳମ୍ବ ହେଉଛି କି ଅଧିବେଶନ ? ବିଜେଡିର କଟାକ୍ଷ- ଶୀତରେ ହେବ ମୌସୁମୀ ଅଧିବେଶନ । କଂଗ୍ରେସ କହିଲା ବିଧାନସଭାକୁ ଡରୁଛି ଶାସକ ଦଳ । ବର୍ଷା ସାରିବାକୁ ବସିଲାଣି, ହେଲେ ମୌସୁମୀ ଅଧିବେଶନ ଡକାଯାଉନି । ରାଜ୍ୟରେ ମାଳମାଳ ସମସ୍ୟା। ଲୋକେ ହେଉଛନ୍ତି ହଇରାଣ । ଆଲୋଚନା କରିବାକୁ ସରକାରୀ ଫୋରମ ନାହିଁ । ମହିଳା ଅସଦାଚରଣ, ନିର୍ଯାତନା, ଦୁଷ୍କର୍ମ, ପିଲାବିକ୍ରି, ଧାନକିଣା ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବନ୍ୟା ଭଳି ଅନେକ ସମସ୍ୟାରେ ଛଟପଟ ରାଜ୍ୟ। ଜନପ୍ରତିନିଧିମାନେ ନିଜ ଅଞ୍ଚଳ ଓ ରାଜ୍ୟର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ବିଧାନସଭା ହିଁ ପ୍ରକୃଷ୍ଟ କ୍ଷେତ୍ର। ହେଲେ ସରକାର ବିଧାନସଭା ଅଧିବେଶନ ଡାକୁନାହାଁନ୍ତି । ସାମ୍ବିଧାନିକ ସଂସ୍ଥାର ଦ୍ବାର ବି ସରକାର ବନ୍ଦ କରିଦେଉଛନ୍ତି। ସରକାରଙ୍କ ସଫଳତା ଓ ବିଫଳତାର ରିପୋର୍ଟ କେଉଁଠି ଆଲୋଚନା ହେବ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

ମୌସୁମୀ ଅଧିବେଶନ ବିଳମ୍ବ ନେଇ ମୁଖ୍ୟ ବିରୋଧୀ ଦଳ ବିଜେଡି ସହ ସ୍ବର ମିଳାଇଛି କଂଗ୍ରେସ । ରାଜ୍ୟ ସରକାର ବିଧାନସଭାକୁ ଡରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ସବୁ କ୍ଷେତ୍ରରେ ସରକାର ଫେଲ ମାରିଥିବାରୁ ବିଧାନସଭାରେ ବିରୋଧୀଙ୍କୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନି ସରକାରୀ ଦଳ । ସେପଟେ ଅଭିଯୋଗକୁ ମାନିବାକୁ ନାରାଜ ବିଜେପି । ଦଳ କହିଛି- ଖୁବଶୀଘ୍ର ବିଧାନସଭା ଅଧିବେଶନ ଡକାଯିବ । ବାଲେଶ୍ବର, ବଳଙ୍ଗା ଆଦି ଘଟଣା ସମ୍ପର୍କରେ ଆଲୋଚନା ହେବ ।