କେରଳ ଛୁଇଁଲା ମୌସୁମୀ, ଏଥର ସ୍ୱାଭାବିକଠାରୁ ଅଧିକ ବର୍ଷା…

1 min read

ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ । କେନ୍ଦ୍ର ପାଣିପାଗ ବିଭାଗର ପୂର୍ବାନୁମାନ ସତ ହୋଇଛି । ସୋମବାର ମୌସୁମୀ କେରଳ ଛୁଇଁଥିବା ବେଳେ ଆଗାମୀ ୧୦ ଦିନ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ ବୋଲି ପୂର୍ବରୁ ଅନୁମାନ କରାଯାଇଛି । ତେବେ ଚଳିତବର୍ଷ ମୌସୁମୀ ପ୍ରଭାବରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣିବାରେ ସଫଳ ହୋଇଛି । ଲଗାତର ୪୮ ଘଣ୍ଟା ପର୍ଯ୍ୟନ୍ତ କେରଳର ୬୦ ପ୍ରତିଶତ ଅଞ୍ଚଳରେ ବର୍ଷା ଲାଗିରହିଛି ।

ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ । ଉତ୍ତର ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ । ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ କହିଛି ।

ମୌସୁମୀ ପାଇଁ ପରିବେଶ ଅନୁକୂଳ ରହିଛି । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୧୦୨% ବର୍ଷା ହେବ ବୋଲି ଆକଳନ କରାଯାଇଛି । ସେହିପରି ଉତ୍ତର-ପଶ୍ଚିମାଞ୍ଚଳରେ ୧୦୭%, କେନ୍ଦ୍ରାଞ୍ଚଳରେ ୧୦୩%, ଦକ୍ଷିଣାଞ୍ଚଳରେ ୧୦୨% , ଉତ୍ତରପୂର୍ବାଞ୍ଚଳରେ ୯୬% ବର୍ଷା ହେବା ନେଇ ଆକଳନ କରାଯାଇଛି ।

 

Leave a Reply