ମାନସ ହତ୍ୟା ମାମଲା: ପାଞ୍ଚ ଦିନିଆ ରିମାଣ୍ଡରେ ଯିବେ ଶର୍ମିଷ୍ଠାଙ୍କ ସମେତ ୪ ଜଣ

ଭୁବନେଶ୍ୱର: ଖୋଲିବ କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟାର ରହସ୍ୟ । ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସହ ଝୁନା, ନିରଞ୍ଜନ ଓ ରଞ୍ଜନଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଚାନ୍ଦବାଲି କୋର୍ଟ ଅନୁମତି ଦେଇଛନ୍ତି । ୧୦ ଦିନ ରିମାଣ୍ଡରେ ନେବାକୁ ଜେଏମଏଫସି କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ତେବେ ୫ ଦିନ ପାଇଁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ । ଆସନ୍ତାକାଲିଠାରୁ ୩ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଯିବେ ୪ ଅଭିଯୁକ୍ତ । ଆଜି ଗିରଫ ପରେ ଜେଏମଏଫସି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ।

ଉଭୟଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ଚାନ୍ଦବାଲିର ଜେଏମଏଫସି କୋର୍ଟ । ଆଜି ମାନସ ମର୍ଡରର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରିଥିଲା ଭଦ୍ରକ ପୋଲିସ ଓ କ୍ରାଇମ୍‌ବ୍ରାଞ୍ଚର ମିଳିତ ଟିମ୍ । କୋଲକାତା ଓ ଗୌହାଟୀରେ ଶରଣ ନେଇଥିଲା ଶର୍ମିଷ୍ଠା । ତେବେ କୋଲକାତାରୁ ବସରେ ଭୁବନେଶ୍ବର ଫେରିବା ବାଟରେ ଭଦ୍ରକ ନଳାଙ୍ଗରୁ ଗିରଫ କରିଥିଲା ମିଳିତ ଟିମ୍ । ଡାକ୍ତରୀମାଇନା ପରେ ଉଭୟଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଏବେ ୫ ଦିନ ରିମାଣ୍ଡରେ ସତ ଉଗାରିବ କ୍ରାଇମବ୍ରାଞ୍ଚ ।

ଫେବ୍ରୁଆରୀ ୭ରୁ ନିଖୋଜ ଥିଲେ ମାନସ। ପରିବାର ଲୋକଙ୍କ ଅଭିଯୋଗ ପରେ ତନାଘନା କରିଥିଲା ପୋଲିସ । ଫୋନ ରେକର୍ଡ ଟ୍ରାକ ପରେ ମିଳିଥିଲା ଅନେକ ସୁରାକ । ସୁରାକର ସୁତା ଟାଣିଟାଣି ପୋଲିସ ପହଞ୍ଚିଥିଲା ଅନେକ ଅଭିଯୁକ୍ତଙ୍କ ପାଖରେ । ଅଭିଯୁକ୍ତଙ୍କ ବୟାନରୁ ଖୋଲିଥିଲା ଅପହରଣ ପରେ ହତ୍ୟାର ଭୟଙ୍କର ଷଡ଼ଯନ୍ତ୍ର । ଚକ୍ରବ୍ୟୂହରେ ଶିକାରକୁ ଛନ୍ଦିବା ପରେ ପୋଲିସକୁ ଦୀର୍ଘ ଦିନ ଧରି ଚକମା ଦେବାକୁ ତିନି ଜିଲ୍ଲାରେ ଅପରାଧୀ ରଚିଥିଲେ ଟ୍ରିଆଙ୍ଗୁଲାର ମର୍ଡର ପ୍ଲଟ । ଭଦ୍ରକରୁ ଅପହରଣ କରି ଭୁବନେଶ୍ୱରରେ ହତ୍ୟା କରିବା ପରେ ନୟାଗଡ଼ରେ କରାଯାଇଥିଲା ଡେଡବଡି ଡିସ୍ପୋଜାଲ  ।