ମନୋଜ ଆହୁଜା ହେଲେ ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ମନୋଜ ଆହୁଜା ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ । ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ଜିଏ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟ ଶାସନ ସଚିବ ସହିତ ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିବେ ।

୧୯୯୦ ବ୍ୟାଚ ବରିଷ୍ଠ ଆଇଏଏସ ଅଫିସର ହେଉଛନ୍ତି ମନୋଜ ଆହୁଜା । ନିକଟରେ କେନ୍ଦ୍ର ଡେପୁଟେସନରୁ ଫେରିଛନ୍ତି । କେନ୍ଦ୍ର କୃଷି ସଚିବ ଦାୟିତ୍ଵରେ ଥିଲେ ମନୋଜ ଆହୁଜା । ଫେବୃଆରୀ ୨୦୨୨ରେ କୃଷି ସଚିବ ଦାୟିତ୍ଵ ନେଇଥିଲେ । ୨୦୧୭ରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀର ସ୍ଵତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରିଥିଲେ । ୨୦୨୦ରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟରେ ସେ ସିବିଏସଇ ଅଧ୍ୟକ୍ଷ ଭାବେ ଦାୟିତ୍ଵରେ ରହିଥଲେ ।

ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କ୍ଯାରିୟର ଆରମ୍ଭ କରିଥିଲେ ମନୋଜ । ଏହା ପରେ ୨୦୦୯ରେ ଖାଦ୍ୟ ଯୋଗାଣ ସଚିବ, ୨୦୧୦ରେ ଖଣି ଇସ୍ପାତ ବିଭାଗ ସଚିବ ହୋଇଥିଲେ । ୨୦୧୨ରେ କ୍ରୀଡ଼ା ଯୁବ ବ୍ଯାପାର ଓ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ବାଣିଜ୍ୟ କର କମିଶନର ଥିଲେ । ୨୦୧୫ରେ ସମବାୟ ବିଭାଗର ସଚିବ ଦାୟିତ୍ଵ ଗ୍ରହଣ କରିଥିଲେ ।

ଆସନ୍ତା ଜୁନ ୩୦ରୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ଵ ଗ୍ରହଣ କରିବେ ମନୋଜ ଆହୁଜା । ବର୍ତ୍ତମାନ ଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ ୩୦ରେ ଶେଷ ହେଉଛି । ସେହିଦିନ ପ୍ରଦୀପଙ୍କ ଠାରୁ ଦାୟିତ୍ଵ ସମ୍ଭାଳିବେ ମନୋଜ ଆହୁଜା ।