ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ବିୟୋଗରେ କାନ୍ଦୁଛି ପାକିସ୍ତାନର ଗାହ ଗ୍ରାମ
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗରେ ତ କାନ୍ଦୁଛି ଭାରତ । ସେପଟେ ମନମୋହନଙ୍କ ପୈତୃକ ଗ୍ରାମ ପାକିସ୍ତାନର ଗାହ ଗ୍ରାମରେ ଖେଳିଯାଇଛି ଶୋକର ଛାୟା । ଗାଁର ସନ୍ତାନଙ୍କ ବିୟୋଗରେ ଦୁଃଖରେ ମ୍ରିୟମାଣ ସାରା ଗାଁବାସୀ । ସେହି ଗାଁରେ ମନମୋହନ ଚତୁର୍ଥ ଶ୍ରେଣୀ ଯାଏଁ ପଢିଥିଲେ । ବାପା ଗୁରୁମୁଖ ସିଂ ଜଣେ ଲୁଗା ବ୍ଯବସାୟୀ ଥିଲେ । ମା ଅମରତ କୌର ଥିଲେ ଜଣେ ଗୃହିଣୀ । ମନମୋହନଙ୍କୁ ତାଙ୍କ ସାଂଗମାନେ ମୋହନ ବୋଲି ସମ୍ବୋଧନ କରୁଥିଲେ ।
ଗାହ ଗ୍ରାମ ପାକିସ୍ତାନ ରାଜଧାନୀ ଇସଲାମାବାଦଠାରୁ ୧୦୦ କିଲୋମିଟର ଦୂର ଏବଂ ଝେଲମ ଜିଲ୍ଲାର ଅନ୍ତର୍ଗତ । ବିଗତ ୨୦୦୮ରେ ସେହି ଗ୍ରାମର ରାଜା ଅସିକ ଅଲ୍ଲୀ ନାମକ ଜଣେ ବ୍ଯକ୍ତି ମନମୋହନଙ୍କୁ ଭେଟିବା ଲାଗି ଦିଲ୍ଲୀ ଆସିଥିବା ଜଣାଯାଇଛି । ବର୍ତ୍ତମାନ ବି ଗାହ ଗ୍ରାମରେ ମନମୋହନଙ୍କ ପରିବାର ବସବାସ କରୁଛନ୍ତି । ଗାଁସ୍କୁଲରେ ପଢୁଥିବାବେଳେ ତାଙ୍କ ଆଡମିଶନ ନମ୍ବର ଥିଲା ୧୮୭ । ପ୍ରବେଶ ତାରିଖ ଥିଲା ୧୭ ଏପ୍ରିଲ ୧୯୩୭ । ଚତୁର୍ଥ ଶ୍ରେଣୀ ସାରିବା ପରେ ସେ ଚକଓ୍ବାଲକୁ ଚାଲିଯାଇଥିଲେ । ବିଭାଜନ ପରେ ମନମୋହନଙ୍କ ପରିବାର ଅମୃତସର ଚାଲିଆସିଥିଲେ । ବଡ଼କଥା ହେଉଛି ଜୀବନକାଳ ମଧ୍ଯରେ ମନମୋହନ ନିଜ ଗାଁକୁ କେବେ ବି ଯାଇ ନଥିଲେ ।