ସମଗ୍ର ଦେଶକୁ ଏକଜୁଟ ହୋଇ ଚୀନର ଦୁଃସାହସର ଜବାବ ଦେବାକୁ ପଡିବ: ମନମୋହନ ସିଂହ

 

  • ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମନମୋହନ ସିଂହ
  • କହିଲେ ବଳିଦାନ ବୃଥା ହେବା ଉଚିତ୍ ନୁହେଁ

ନୂଆଦିଲ୍ଲୀ: ଚୀନ୍‌ କରିଥିବା ଦୁଃସାହସର ଉତ୍ତର ଦେବାପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ମୋଦୀ ସରକାରଙ୍କୁ ନିବେଦନ କରିଛନ୍ତି । ଲଦାଖ ସୀମା ବିବାଦରେ ସହିଦ ହୋଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ଯେ, ସୈନିକମାନଙ୍କ ବଳିଦାନ ବୃଥା ଯିବା ଉଚିତ ନୁହେଁ। ଏହି ସମୟରେ ସମଗ୍ର ଦେଶକୁ ଏକଜୁଟ ହୋଇ ଚୀନର ଦୁଃସାହସର ଜବାବ ଦେବାକୁ ପଡିବ ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି, ୧୫ ଏବଂ ୧୬ ଜୁନରେ ଭାରତର ୨୦ଜଣ ସାହସୀ ସୈନିକ ଗଲବାନ ଘାଟିରେ ବଳିଦାନ ଦେଇଥିଲେ। ଦେଶର ଏହି ବୀରପୁତ୍ରମାନେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦେଶକୁ ସୁରକ୍ଷା ଦେଇଥିଲେ। ଏହି ସର୍ବୋଚ୍ଚ ବଳିଦାନ ପାଇଁ ଆମେ ଏହି ସାହସୀ ସୈନିକ ଏବଂ ସେମାନଙ୍କ ପରିବାର ପାଇଁ କୃତଜ୍ଞ, କିନ୍ତୁ ସେମାନଙ୍କର ବଳିଦାନ ବୃଥା ଯିବା ଉଚିତ୍ ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି, ଆଜି ଆମେ ଇତିହାସର ସୂକ୍ଷ୍ମ ସ୍ଥାନରେ ଛିଡା ହୋଇଛୁ । ସରକାରଙ୍କ ନିଷ୍ପତ୍ତି ଏବଂ ପଦକ୍ଷେପ ଆମର ଭବିଷ୍ୟତ ଆକଳନ କରିବ । ଯେଉଁମାନେ ଦେଶକୁ ଆଗେଇ ନେଉଛନ୍ତି ସେମାନଙ୍କ କାନ୍ଧରେ ଦେଶର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଛି । ଆମ ଗଣତନ୍ତ୍ରରେ ଏହା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ।

ମନମୋହନ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସର୍ବଦାଦେଶର ସୁରକ୍ଷା ତଥା ସାମରିକ ସ୍ୱାର୍ଥ ଉପରେ ଯତ୍ନବାନ ହେବା ଉଚିତ୍ । ଚୀନ୍ ଏପ୍ରିଲରୁ ଆଜି ପର୍ଯ୍ୟନ୍ତ ଅନେକ ଥର ଗଲବାନ ଉପତ୍ୟକା ଏବଂ ହ୍ରଦକୁ ଅନୁପ୍ରବେଶ କରିଛି । ଆମେ ତାଙ୍କ ଧମକ ଏବଂ ଚାପ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ କି ଆମ ଅଖଣ୍ଡତା ସହିତ କୌଣସି ଆପୋଷ ବୁଝାମଣା ଗ୍ରହଣ କରିବୁ ନାହିଁ । ସରକାର ନିଶ୍ଚିତ କରନ୍ତୁ, ଏହି ବିପଦର ସମ୍ମୁଖୀନ ହେବା ତଥା ପରିସ୍ଥିତି ଗୁରୁତର ନହେବାକୁ ସରକାରଙ୍କ ସମସ୍ତ ବିଭାଗ ପାରସ୍ପରିକ ସହମତି ସହ କାର୍ଯ୍ୟ କରିବେ ।

 

ସିଂ କହିଛନ୍ତି, ଏହି ସମୟରେ ସମଗ୍ର ଦେଶକୁ ଏକଜୁଟ ହୋଇ ସଂଗଠିତ ହେବାକୁ ପଡିବ ଏବଂ ଏହି ଦୁଃସାହସିକତାର ଜବାବ ଦେବାକୁ ପଡିବ। ଆମେ ସରକାରଙ୍କୁ ଚେତେଇ ଦେବୁ ଯେ ବିଭ୍ରାନ୍ତିକର ପ୍ରଚାର କେବେବି କୂଟନୀତି କିମ୍ବା ଦୃଢ ନେତୃତ୍ୱର ବିକଳ୍ପ ହୋଇପାରିବ ନାହିଁ । ପଛୁଆ ସହଯୋଗୀମାନଙ୍କ ଦ୍ୱାରା ମିଥ୍ୟା ପ୍ରଚାର ସତ୍ୟକୁ ଦମନ କରିପାରିବ ନାହିଁ ।

 

 

Leave a Reply