ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ :  ଦିଲ୍ଲୀର ପୂର୍ବତନ ଉପମୁଖ୍ଯମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଜାମିନ। ଆଜି ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ମଦ ଦୁର୍ନୀତିରେ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ୧୭ ମାସ ହେଲା ସେ ଜେଲରେ ଥିଲେ। ସୁପ୍ରିମକୋର୍ଟ କହିଛନ୍ତି, ତ୍ଵରିତ ନ୍ୟାୟ ପାଇବାର ଅଧିକାର ସିସୋଦିଆଙ୍କର ଅଛି। ତାଙ୍କୁ ଟ୍ରାଏଲ କୋର୍ଟକୁ ପଠାଯିବା ସାପ ସିଡ଼ି ଖେଳ ହେ, ଯାହାକି ଅନ୍ୟାୟ। ସୁପ୍ରିମକୋର୍ଟ କହିଛନ୍ତି, ବିଚାର ପ୍ରକ୍ରିୟା ନ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ସିସୋଦିଆଙ୍କୁ ଜେଲରେ ରଖିବା ତାଙ୍କ ମୌଳିକ ଅଧିକାରର ଉଲ୍ଲଂଘନ।

୧୮ ମାସ ହେଲାଣି ବିଚାର ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ଅଭିଯୁକ୍ତକୁ ବେଲ୍ ମିଳିବା ଉଚିତ। ଜେଲ୍ ହେଉଛି ବ୍ଯତିକ୍ରମ। ସମାଜରେ ସିସୋଦିଆଙ୍କ ଏକ ସମ୍ମାନ ଅଛି। ଏହାକୁ ତଳ କୋର୍ଟ ଓ ହାଇକୋର୍ଟ ଧ୍ଯାନ ଦେବାର ଥିଲା। ଦଣ୍ଡ ହିସାବରେ ଜାମିନକୁ ଖାରଜ କରାଯାଇପାରିବ ନାହିଁ। ଦିଲ୍ଲୀ ମଦ ଦୁର୍ନୀତିରେ ସିବିଆଇ ୨୦୨୩ ଫେବୃଆରି ୨୬ ରେ ସିସୋଦିଆଙ୍କୁ ଗିରଫ କରିଥିଲା। ଦୁଇ ସପ୍ତାହ ପରେ ଇଡି ମଧ୍ଯ ତାଙ୍କୁ ଗିରଫ କରିଥିଲା। ଉଭୟ କେସରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି ଏବଂ କହିଛନ୍ତି ଅନିର୍ଦ୍ଦିଷ୍ଟ କାଳ ପାଇଁ ସିସୋଦିଆଙ୍କୁ ଜେଲରେ ରଖାଯାଇପାରିବ ନାହିଁ। ତେବେ ସୁପ୍ରିମକୋର୍ଟ ସର୍ତ୍ତ ରଖିଛନ୍ତି ଯେ, ସିସୋଦିଆ ମୁଖ୍ଯମନ୍ତ୍ରୀ କେଜରିୱାଲଙ୍କ ଅଫିସକୁ ଯାଇପାରିବେ ନାହିଁ । ଏହା ସହିତ କୋର୍ଟରେ ପାସପୋର୍ଟ ଦାଖଲ କରିବେ।