ଦିଲ୍ଲୀ ଅବକାରୀ ନୀତି ମାମଲା: ମନୀଷ ସିସୋଦିଆଙ୍କୁ ଇଡିର ପଚରାଉଚରା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲା। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଇଡିର ପଚରାଉଚରା । ଗତକାଲି ସିସୋଦିଆଙ୍କୁ ତିହାର ଜେଲକୁ ପଠାଯାଇଥିଲା। ତାଙ୍କ ବୟାନ ରେକର୍ଡ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ତିହାର ଜେଲରେ ପହଞ୍ଚିଛି । ଏବେ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି ସିସୋଦିଆ । ୭ ଦିନ ରିମାଣ୍ଡ ପରେ ୨୦ ମାର୍ଚ୍ଚ ଯାଏଁ ସିସୋଦିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ ରାଉଜ ଆବେନ୍ୟୁ କୋର୍ଟ। ସିସୋଦିଆଙ୍କୁ ପଚରାଉଚରା ପାଇଁ କୋର୍ଟରେ ଆବେଦନ କରି ଅନୁମତି ମାଗିଥିଲା ଇଡି । ଏହାପରେ କୋର୍ଟ ଇଡିକୁ ସିସୋଦିଆଙ୍କ ବୟାନ ରେକର୍ଡ କରିବାକୁ ୩ ଦିନ ଅନୁମତି ଦେଇଛନ୍ତି ।

ଆସନ୍ତା  ୧୦ ତାରିଖରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି କରିବେ ହାଇକୋର୍ଟ । ଦିଲ୍ଲୀ ମଦ ନୀତି ମାମଲାରେ ଗତ ୨୬ ତାରିଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଗିରଫ କରିଥିଲା। ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ଦବେନ୍ଦରଙ୍କୁ ସିବିଆଇ ହେଡକ୍ବାର୍ଟର୍ସରେ ପଚରାଉଚରା କରାଯାଉଛି। ସେପଟେ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଉଥିବା ଲୋକଙ୍କୁ ଜେଲ୍ ପଠାଯାଉଛି । ହେଲେ ଦେଶକୁ ଲୁଟୁଥିବା ବ୍ୟକ୍ତିବିଶେଷଙ୍କ ସମର୍ଥନରେ ବାହାରୁଛନ୍ତି କେନ୍ଦ୍ର ସରକାର। ତେଣୁ ଦେଶର ପାଇଁ କାଲି ହୋଲିରେ ସାରା ଦିନ ପ୍ରାର୍ଥନା ଓ ପ୍ରାଣାୟମ କରିବେ ବୋଲି କହିଛନ୍ତି କେଜ୍ରିଓ୍ବାଲ ।