ଜାମିନ ଶୁଣାଣିର ଦିନକ ପୂର୍ବରୁ ମନୀଷ ସିସୋଦିଆ ଗିରଫ

ନୂଆଦିଲ୍ଲୀ: ଜାମିନ ଶୁଣାଣିର ଦିନକ ପୂର୍ବରୁ ମନୀଷ ସିସୋଦିଆ ଗିରଫ । ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କୁ ଗିରଫ କରିଛି । ତିହାର ଜେଲରେ ଦ୍ୱିତୀୟ ଥର ପାଇଁ ମାରାଥନ ପଚରାଉଚରା କରିଥିଲା ଇଡି । ଦୀର୍ଘ ୭ ଘଣ୍ଟାର ଜେରା ପରେ ମନୀଷ ସିସୋଦିଆଙ୍କୁ ଗିରଫ କରିଛି ଇଡି । ଅନ୍ୟପଟେ ସିସୋଦିଆଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । କହିଛନ୍ତି, ସିସୋଦିଆଙ୍କୁ ଜେରା କରିଥିଲା ସିବିଆଇ । କୌଣସି ପ୍ରମାଣ ମିଳିନଥିଲା । ଏପରିକି ତଦନ୍ତ ସମୟରେ କୌଣସି ଟଙ୍କା ବି ମିଳିନଥିଲା । ଆସନ୍ତାକାଲି ଜାମିନ ଆବେଦନର ଶୁଣାଣି ଥିଲା । ଏପରିକି ସିସୋଦିଆଙ୍କୁ ଜାମିନ ମିଳିଥାନ୍ତା ବୋଲି କହିଛନ୍ତି କେଜରିଓ୍ବାଲ । ହେଲେ ଏହା ପୂର୍ବରୁ ସିସୋଦିଆଙ୍କୁ ଗିରଫ କରିଛି ଇଡି । ସିସୋଦିଆଙ୍କୁ ଜେଲରୁ ବାହାର ନକରାଇ ଦେବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି ବୋଲି କହିଛନ୍ତି ଅରବିନ୍ଦ କେଜରିଓ୍ବାଲ ।

ସିବିଆଇ ଫେବୃଆରୀ ୨୬ ତାରିଖରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ଦିଲ୍ଲୀ କୋର୍ଟ ତାଙ୍କୁ ମାର୍ଚ୍ଚ ୨୦ ଯାଏ ନ୍ୟାୟିକ ହେପାଜତକୁ ପଠାଇଥିଲେ । ଅନ୍ୟପଟେ ତିହାର ଜେଲରେ ଥିବା ମନୀଷ ସିସୋଦିଆଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛି ଆମ୍ ଆଦମୀ ପାର୍ଟି । ସିସୋଦିଆଙ୍କୁ ହତ୍ୟା କରିବାକୁ ଯୋଜନା ହେଉଥିବା ଆପ୍ ଅଭିଯୋଗ କରିଛି ।