ମଣିପୁର ହିଂସା: ନିଖୋଜ ୪ ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

ବିଷ୍ଣୁପୁର: ଥମୁନି ମଣିପୁର ହିଂସା । ଗୁଳିକାଣ୍ଡ ସହିତ ବୋମାମାଡ । ବଳି ପଡୁଛି ନିରୀହ ଜୀବନ । ଗତ ବୁଧବାର ଦିନ ଗୁଳିକାଣ୍ଡ ପରେ ମଣିପୁରର ବିଷ୍ଣୁପୁର ଜିଲ୍ଲାର ଅକାସୋଇ ଗ୍ରାମର ନିଖୋଜ ୪ ଜଣଙ୍କ ଗତକାଲି ମୃତଦେହ ଉଦ୍ଧାର । ଆତଙ୍କବାଦୀମାନେ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଗତକାଲି ସେମାନଙ୍କ ମୃତଦେହ ବିଷ୍ଣୁପୁର ଓ ଚୁରଚାନ୍ଦପୁର ଜିଲ୍ଲା ସୀମାରୁ ଉଦ୍ଧାର କରାଯାଇଛି ।

ମୃତକଙ୍କ ମଧ୍ୟରେ ବାପପୁଅ ବି ଥିବା ଜଣାଯାଇଛି। ମୃତକମାନେ ହେଲେ ଦାରା ସିଂହ, ଇବୋମା ସିଂହ, ରୋମେନ ସିଂହ ଏବଂ ଆନନ୍ଦ ସିଂହ । ଅକାସୋଇ ଗ୍ରାମର ୪ ଜଣ ବୁଧବାର ଚୁରଚାନ୍ଦପୁର ଜିଲ୍ଲା ନିକଟବର୍ତ୍ତୀ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ। ସେବେଠାରୁ  ସେମାନଙ୍କ ସନ୍ଧାନ ମିଳୁ ନଥିଲା । ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ମୃତଦେହର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସୂଚନା ପାଇ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ପରିବାର ଲୋକେ ମୃତଦେହ ଚିହ୍ନଟ କରିବା ପରେ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।