ଥମୁନି ମଣିପୁର ହିଂସା: ୩ ଜିଲ୍ଲାରେ କର୍ଫ୍ୟୁ, ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଥମୁନି ମଣିପୁର ହିଂସା। ରାଜ୍ଯରେ ପୁଣିଥରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ହିଂସାକୁ ଦୃଷ୍ଟିରେ ରଖି ୩ଟି ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି। ପୂର୍ବ ଇମ୍ଫାଲ, ପଶ୍ଚିମ ଇମ୍ଫାଲ ଏବଂ ଥୌବାଲରେ କର୍ଫ୍ୟୁ ବଳବତ୍ତର ରହିଛି। ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ପୂର୍ବ ଇମ୍ଫାଲ, ପଶ୍ଚିମ ଇମ୍ଫାଲ, ଥୌବାଲ, ବିଷ୍ଣୁପୁର ଏବଂ କାକଚିରେ ଇଣ୍ଟରନେଟ୍ ସେବା ୫ ଦିନ ଯାଏ ବନ୍ଦ ରଖାଯାଇଛି।

ସେହିପରି ସମସ୍ତ ସରକାରୀ ଓ ବେସରକାରୀ କଲେଜକୁ ଆଜି ଯାଏଁ ଛୁଟି ଘୋଷଣା କରାଯାଇଛି। ବିଭିନ୍ନ ସ୍ଥାନରେ ୨ ହଜାର ସିଆରପିଏଫ ସୁରକ୍ଷା ବଳ ନିୟୋଜିତ ହୋଇଥିବାବେଳେ ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଅଧିକ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି । ରାଜ୍ଯରୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ହଟାଇବା ସହ ପୋଲିସ ମହାନିର୍ଦ୍ଦେଶକ ଏବଂ ସୁରକ୍ଷା ଉପଦେଷ୍ଟାକୁ ହଟାଇବା ନିମନ୍ତେ ଆନ୍ଦୋଳକାରୀ ଛାତ୍ରଛାତ୍ରୀ ଦାବି କରୁଛନ୍ତି । ପରିସ୍ଥିତି ଅଶାନ୍ତ ହେଉଥିବାରୁ କେନ୍ଦ୍ର ସରକାର ଆଉ ଦୁଇ ବାଟାଲିଅନ ସିଆରପିଏଫ ମୁତୟନ କରିଛନ୍ତି ।

ଗତବର୍ଷ ମେ ମାସରୁ ମଣିପୁରରେ ହିଂସା ଜାରି ରହିଛି । ଏଯାଏଁ ୨୦୦ରୁ ଅଧିକ ଲୋକଙ୍କର ଜୀବନ ଯାଇଥିବାବେଳେ ହଜାର ହଜାର ଲୋକ ବାସହୀନ ହୋଇପଡ଼ିଛନ୍ତି । କୁକୀ ଏବଂ ମଇତି ସଂପ୍ରଦାୟ ମଧ୍ଯରେ ଗଣ୍ଡଗୋଳ ଯୋଗୁ ହିଂସା ଉଗ୍ର ରୂପ ଧାରଣ କରିଛି । ଗତ କିଛିଦିନ ହେବ ଉଗ୍ରବାଦୀମାନେ ଡ୍ରୋନ ବୋମା ଏବଂ ରକେଟ ଆକ୍ରମଣ କରିବାରୁ ୯ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଯାହାକୁ ନେଇ ସାରା ରାଜ୍ଯରେ ଅଶାନ୍ତ ବାତାବରଣ ଲାଗିରହିଛି ।