ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, ହିଂସାକାଣ୍ଡର ଯାଞ୍ଚ ପାଇଁ ତିନି ଜଣିଆ କମିଟି ଗଠନ

1 min read

ନୂଆଦିଲ୍ଲୀ: ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ । ହିଂସାକାଣ୍ଡର ଯାଞ୍ଚ ପାଇଁ ତିନି ଜଣିଆ କମିଟି ଗଠନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ହାଇକୋର୍ଟର ତିନିଜଣ ପୂର୍ବତନ ବିଚାରରପତିଙ୍କୁ ନେଇ ଗଠିତ କମିଟି ଏହାର ତଦନ୍ତ କରିବ । ହିଂସା ଜର୍ଜରିତ ମଣିପୁରରେ ରିଲିଫ, ଥଇଥାନ ସମ୍ପର୍କରେ ଏହି ଟିମ୍ ତଦନ୍ତ କରିବ । ଜାମ୍ମୁ କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲଙ୍କ ନେତୃତ୍ୱରେ ଗଠିତ କମିଟିରେ ବମ୍ବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଶାଲିନୀ ଯୋଶୀ ଏବଂ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଶା ମେନନ ରହିବେ । ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ସହ ମଣିପୁରବାସୀଙ୍କ ଭରସା ଜିତିବା ସୁପ୍ରିମକୋର୍ଟଙ୍କ ପ୍ରୟାସ ବୋଲି ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ।

ରାଜ୍ୟରେ ମହିଳା ବିରୋଧୀ ହିଂସା ମାମଲାର ଯାଞ୍ଚ ସିବିଆଇ କରିବ । ସ୍ବତନ୍ତ୍ର ଓ ନିରପେକ୍ଷ ଯାଞ୍ଚ ପାଇଁ ସିବିଆଇ ଟିମରେ ଅନ୍ୟ ରାଜ୍ୟର ଡପୁଟି ଏସପି ରାଙ୍କର ୫ଜଣ ଲେଖାଏଁ ଅଫିସର ରହିବେ । ସିବିଆଇ ତଦନ୍ତର ସମୀକ୍ଷା ପାଇଁ ପୂର୍ବତନ ଆଇପିଏସ ଅଫିସ ଦତ୍ତାତ୍ରୟ ପଦସାଲଗିକରଙ୍କୁ ଦାୟିତ୍ବ ଦିଆଯାଇଛି । ଅନ୍ୟ ମାମଲାର ଯାଞ୍ଚ ପାଇଁ ୪୨ଟି ଏସଆଇଟି ଗଠନ କରାଯିବ । ଏସପି ରାଙ୍କର ଅଧିକାରୀ SIT ଟିମର ନେତୃତ୍ବ ନେବେ । ଡିଆଇଜି ରାଙ୍କର ଅଫିସର ୬ଟି ଏସଆଇଟି ତଦନ୍ତର ସମୀକ୍ଷା କରିବେ । ହାଇକୋର୍ଟ ବିଚାରପତିଙ୍କ କମିଟି ଓ ସିବିଆଇ ଯାଞ୍ଚର ସମୀକ୍ଷା କରୁଥିବା ଆଇପିଏସ ଅଫିସର ସମୟ ସମୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ଭରସା ଓ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଫେରାଇ ଆଣିବାକୁ ଆମର ପ୍ରୟାସ ରହିବ ବୋଲି କୋର୍ଟ କହିଛନ୍ତି ।