ନିୟନ୍ତ୍ରଣ ବାହାରେ ମଣିପୁର ସ୍ଥିତି, ଜାଳିଦେଲେ କେନ୍ଦ୍ରମନ୍ତ୍ରୀଙ୍କ ଘର

ଇମ୍ଫାଲ : ଭୟଙ୍କର ହେବାରେ ଲାଗିଛି ମଣିପୁର ସ୍ଥିତି । ବାରମ୍ବାର ବିଗିଡୁଛି ଆଇନଶୃଙ୍ଖଳା । କେନ୍ଦ୍ରମନ୍ତ୍ରୀ ଆର.କେ. ରଞ୍ଜନସିଂଙ୍କ ଇମ୍ଫାଲସ୍ଥିତ ଘରକୁ ଗତକାଲି ଉତ୍ତ୍ୟକ୍ତ ଲୋକେ ପୋଡି ଦେବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ପ୍ରାୟ ୧୨ ଶହ ଲୋକ ଗତକାଲି ରାତିରେ ଅଚାନକ କେନ୍ଦ୍ରମନ୍ତ୍ରୀଙ୍କ ଘରେ ପହଞ୍ଚି ଲଙ୍କାକାଣ୍ଡ ଘଟାଇଛନ୍ତି । ଏହି ହିଂସାବେଳେ କେନ୍ଦ୍ରମନ୍ତ୍ରୀ ଘରେ ନଥିବା ସୂଚନା ମିଳିଛି ।

ଇମ୍ଫାଲରେ କର୍ଫ୍ୟୁ ସତ୍ତ୍ୱେ ଉତ୍ତ୍ୟକ୍ତ ଲୋକେ କୋଙ୍ଗବାସ୍ଥିତ କେନ୍ଦ୍ରମନ୍ତ୍ରୀଙ୍କ ଗରେ ପହଞ୍ଚି ନିଆଁ ଲଗାଇଦେବା ସହ ଭଙ୍ଗାରୁଜା କରିଥିଲେ । ଘରେ ମୁତୟନ ଥିବା ନିରାପତ୍ତା କର୍ମୀ ଉତ୍ତ୍ୟକ୍ତ ଲୋକଙ୍କୁ ଅଟକାଇବାରେ ସକ୍ଷମ ହୋଇ ନଥିଲେ । ଆକ୍ରମଣକାରୀମାନେ ପେଟ୍ରୋଲ ବୋମା ଫିଙ୍ଗିବା ସହ ଚାରିପଟୁ ଘେରାବନ୍ଦୀ କରି ହମଲା କରିଥିଲେ ।

ଗତ ମେ ମାସରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ ହୋଇଥିଲା । ମାତ୍ର ସେମାନଙ୍କୁ ଘଉଡାଇ ଦିଆଯାଇଥିଲା । ନିଜକୁ ଏସଟି ମାନ୍ୟତା ଦେବା ଦାବିରେ ମେତେଇମାନେ ଗତ ମେ ୩ ତାରିଖରେ ଆନ୍ଦୋଳନ ଆରମ୍ଭ କରିବା ପରଠାରୁ ରାଜ୍ୟରେ ହିଂସା ବଳବତ୍ତର ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ହିଂସାରେ ଶତାଧିକ ଲୋକଙ୍କ ପ୍ରାଣହାନି ଘଟିଲାଣି ।