ମଣିପୁରରେ ଥମୁନି ହିଂସା, ଦଙ୍ଗାରେ ଗଲାଣି ଶହେରୁ ଅଧିକ ଜୀବନ

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନି । ଥୋବଲ ଜିଲ୍ଲାର ଖଙ୍ଗାବୋକର ଆଇଆରବି ବାଟାଲିଅନ କ୍ୟାମ୍ପରେ ଆକ୍ରମଣ । ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଲୁଟ୍ ଉଦ୍ଦେଶ୍ୟରେ ଆଇଆରବି କ୍ୟାମ୍ପରେ ଲୋକ ଭାରି ଭରକମ ଆକ୍ରମଣ କରିଥିଲେ । ଭିଡ଼ ରୋକିବାକୁ ସୁରକ୍ଷାକର୍ମୀ ପ୍ରଥମେ ଟିୟର ଗ୍ୟାସ୍ ପରେ ରବର ଗୋଲି ଫିଙ୍ଗିଥିଲେ । ଲୋକ ତାକୁ ଖାତିର ନକରିବାରୁ ବ୍ଲାଙ୍କ ଫାୟାରିଂ କରିଥିଲେ ସୁରକ୍ଷାକର୍ମୀ। ଏଥିରେ ୨୭ ବର୍ଷୀୟ ଜଣେ ଯୁବକ ରୋନାଲ୍ଡୋଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉତ୍ୟକ୍ତ ଲୋକ ସେନାର ସବୁ ଗାଡ଼ି ପୋଡିଦେଲେ । ଏହାସହ ୧୦ ଜଣ ଆହତ ହୋଇଛନ୍ତି ।
ମୌତେଇ ସମୁଦାୟର ଏସଟି ମାନ୍ୟତା ଦାବିକୁ ବିରୋଧ କରି ମେ ୩ରେ ପାହାଡି ଜିଲ୍ଲାରେ ଆଦିବାସୀ ଏକଜୁଟ ମାର୍ଚ୍ଚ ଆୟେଜିତ ହୋଇଥିଲା । ସେହିଦିନଠାରୁ ହିଁ ମଣିପୁରରେ ହିଂସା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ସୂଚନା ଅନୁସାରେ ମଣିପୁରରେ ୫୩ ପ୍ରତିଶତରୁ ଅଧିକ ଅଛନ୍ତି ମୈତେଇ ସମ୍ପ୍ରଦାୟର ଲୋକ । ଏଥିରେ ଅଧିକାଂଶ ହିନ୍ଦୁ ରହିଛନ୍ତି ।