ଫୁଟବଲ ଗ୍ରାଉଣ୍ଡ ନା ଯୁଦ୍ଧ କ୍ଷେତ୍ର, ହାତରେ ବନ୍ଧୁକ ଧରି ଖେଳିଲେ ଖେଳାଳୀ

1 min read

ନନ୍ଦିଘୋଷ ବ୍ୟୁରୋ: ଫୁଟବଲ ଗ୍ରାଉଣ୍ଡରେ ଖେଳାଳୀଙ୍କ ହାତରେ AK-47 । ବନ୍ଧୁକ ଧରି ଫୁଟବଲ ଖେଳିଲେ ଖେଳାଳୀ । ଯାହା ସେଠାରେ ଉପସ୍ଥିତ ଲୋକଙ୍କୁ ଆଚମ୍ବିତ କରିଥିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଣିପୁର କଙ୍ଗପୋକପି ଜିଲ୍ଲାର ଏକ ଫୁଟବଲ ଗ୍ରାଉଣ୍ଡରେ । ଏହି ମ୍ୟାଚ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଥିଲା । ଭିଡିଓରେ ଦେଖିବାକୁ ମିଳିଛି କିଛି ଖେଳାଳୀ ହାତରେ ରାଇଫଲ ଧରି ଖେଳୁଛନ୍ତି । ଭିଡିଓରେ ପ୍ରାୟ ଡର୍ଜନ ଖେଳାଳୀ ନଜର ଆସୁଛନ୍ତି । ଏବଂ ସମସ୍ତଙ୍କ ହାତରେ ରାଇଫଲ ଅଛି । ମଣିପୁର ସ୍ଥିତି ଖରାପ ଥିବାବେଳେ ଖେଳାଳୀଙ୍କ ଏଭଳି କାମ ପାଇଁ ଉଦବେଗ ପ୍ରକାଶ ପାଇଛି ।

ହାତରେ ରାଇଫଲ ଧରି ଖେଳିଲେ ଫୁଟବଲ

ଏହା କୌଣସି ନକଲି ବନ୍ଧୁକ ନୁହେଁ । ସତସତିକା ଏକେ-୪୭ ବନ୍ଧୁକ ଅଟେ । ଧରିଥିବା ବନ୍ଧୁକର ନଳିରେ ଲାଲ ରିବନ ବନ୍ଧା ହେଇଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ମଣିପୁର କଙ୍ଗପୋକପି ଜିଲ୍ଲାର ଜଣେ ଇନଫ୍ଲୁଏନ୍ସଙ୍କ ଆକାଉଣ୍ଟରୁ ଭାଇରାଲ ହୋଇଥିଲା । ଏହି ଫୁଟବଲ ମ୍ୟାଚଟି ୨୦ଜାନୁୟାରୀରେ ଅନୁଷ୍ଠିତ ହୋଇଥିଲା । ପୋଷ୍ଟରେ ଜାଗାର ନାମ ମଧ୍ୟ ଦେଖାଯାଉଥିଲା । ଏହି ସ୍ଥାନ ରାଜଧାନୀ ଇମ୍ଫାଲ ଠାରୁ ପାଖାପାଖି ୩୦କିମି ଦୂରରେ ଅବସ୍ଥିତ । ଏହି ଭିଡିଓ ଭାଇରାଲ ହେବା ପରେ ଜନସାଧାରଣଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦିଓ ଏହି ଭିଡିଓ ସୋସିଆଲ ମିଡିଆରୁ ହଟାଇଦିଆଯାଇଛି ତଥାପି ଏହା ଚିନ୍ତାର କାରଣ ପାଲଟିଛି ।

ଘଟଣାର ତଦନ୍ତ ପାଇଁ ଦାବି

ହାତରେ ରାଇଫଲ ଧରିଥିବା ପିଲାମାନେ ନାଚୁଥିବାର ଦେଖିବାକୁ ମିଳିଛି । ସେମାନଙ୍କ ହେଲମେଟ ଏବଂ କାନ୍ଧରେ ଲାଲ ରଙ୍ଗର ଏକ ଖାସ ଲୋଗୋ ଦେଖିବାକୁ ମିଳିଥିଲା । ଯାହା କୁକି ନ୍ୟାସନାଲ ଫ୍ରଣ୍ଟ-ପି ମିଲିଟେଣ୍ଟସର ପରିଚୟ ଅଟେ । ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମେତଇ ସମୁଦାୟ ଏହି ଘଟଣାର ଯାଞ୍ଚ କରିବା ପାଇଁ ସରକାରଙ୍କ ପାଖରେ ଦାବି କରିଛନ୍ତି ।