ମଣିପୁରରେ ସ୍ଥିତି ବେହାଲ; ଆକାଶଛୁଆଁ ପରିବା ଦର, ପେଟ୍ରୋଲ ଲିଟର ପିଛା ୨୦୦
ମଣିପୁର: ମଣିପୁରରେ ସ୍ଥିତି ହେଲାଣି ହାହାକାର। ମୃତ୍ୟୁ ସଂଖ୍ୟା ବଢୁଥିବାବେଳେ ଶାନ୍ତି ଫେରାଇବାରେ ବିଫଳ ରାଜ୍ୟ ସରକାର। ସେପଟେ ପେଟ୍ରୋଲ ଲିଟର ୨୦୦ ଟଙ୍କାରେ ପହଞ୍ଚିଥିବାବେଳେ ଜରୁରୀ ଔଷଧ ବିରଳ ହେବାରେ ଲାଗିଛି । ରାଜ୍ୟର ଅଧିକାଂଶ ଏଟିଏମ ଖାଲି ହୋଇପଡିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ଏପରି ଘଟଣା ରାଜ୍ୟର ବିଭିନ୍ନ ଭାଗରେ ଘଟୁଥିବା ପରିଲକ୍ଷିତ ହୋଇଛି ।
ସେପଟେ ହିଂସାର ତଦନ୍ତ ଲାଗି ଗୗେହାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଅଜୟ ଲାମ୍ବାଙ୍କ ନେତୃତ୍ବରେ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ମେତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଥିବାବେଳେ ଏବେ ବି ପୋଡ଼ାଜଳା ଜାରି ରହିଛି। ମେତେଇଙ୍କୁ ଆଦିବାସୀ ମାନ୍ୟତା ଦାବି ବିରୋଧରେ ଗତ ମେ ୩ ତାରିଖରେ ଅଖିଳ ଆଦିବାସୀ ଛାତ୍ରୀ ସଂଗଠନର ବିକ୍ଷୋଭ ପରଠାରୁ ହିଂସା ଜାରି ରହିଛି ।
ହିଂସାରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ହଜାର ହଜାର ଲୋକ ବେଘର ହେଲେଣି । ମୃତ୍ୟୁ ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି । ଅଧିକାଂଶ ଅଞ୍ଚଳରେ ଏବେ ବି ଇଣ୍ଟରନେଟ ସେବା ସଂଯୋଗ ହୋଇ ନଥିବାବେଳେ ଦରଦାମ ଆକାଶଛୁଆଁ ହେଉଥିବା ଯୋଗୁ ଜୀବନ ଦୁର୍ବିସହ ହୋଇଛି । ସାଧାରଣ ଖାଉଟି ସାମଗ୍ରୀଠାରୁ ଖାଇବା ତେଲର ଦାମ୍ ପ୍ରାୟ ଦୁଇଗୁଣ ହେଲାଣି । ଅଧିକାଂଶ ରିଲିଫ ଶିବିରର ଅବସ୍ଥା ବି ଖରାପ ହେଲାଣି । ନାନାପ୍ରକାର ରୋଗଯୋଗୁ ଅସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।