ବିଜେପି ସହଯୋଗୀ ଏନପିଏଫ ସାଂସଦଙ୍କ ଗମ୍ଭୀର ଅଭିଯୋଗ, ମଣିପୁର ପ୍ରସଙ୍ଗରେ ଆମ ହାତ ବାନ୍ଧି ଦିଆଯାଇଛି

ନୂଆଦିଲ୍ଲୀ: ମଣିପୁର ୩ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଜଳୁଛି । ବିରୋଧୀ ଲଗାତାର ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ସେହିପରି ଏବେ ଭାରତୀୟ ଜନତା ପାର୍ଟିର ସହଯୋଗୀ ଦଳ ମଧ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି । ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ)ର ସାଂସଦ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ସାଂସଦଙ୍କ ନାଁ ହେଉଛି ଲୋରହୋ ପଫୋଜ । ପଫୋଜ କହିଛନ୍ତି ଯେ ଆମେ ସଂସଦରେ ମଣିପୁର ଉପରେ ନିଜ କଥା ରଖିବାକୁ ଚାହୁଁଛୁ । ହେଲେ ଏଥିପାଇଁ ଆମକୁ ଅନୁମତି ମିଳୁନାହିଁ । ଏନପିଏଫ ସାଂସଦ କହିଛନ୍ତି ଯେ ଆମେ ଅବଶ୍ୟ ବିଜେପିର ସହଯୋଗୀ ଅଟୁ ହେଲେ ଆମ ଲୋକଙ୍କ ସ୍ୱରକୁ ଆମକୁ ଉଠାଇବାକୁ ହେବ । ଉଲ୍ଲେଖଯୋଗ୍ୟ, ମଣିପୁର ପ୍ରସଙ୍ଗ ଉପରେ ବିରୋଧୀ ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ । ଏହି ଅବସରରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ସରକାରଙ୍କୁ ଘେରିଥିଲେ ।

ଏମିତିକି ଜଣେ ଏନଡିଏ ସହଯୋଗୀ ଦଳ ରାଜ୍ୟସଭାରେ ଅମିତ ଶାହଙ୍କ ମିଜୋରାମ ବୟାନକୁ ବିରୋଧ କରିଥିଲେ । ହେଲେ ତାଙ୍କୁ ଅଧାରୁ ଅଟକାଯାଇଥିଲା ଏବଂ କହିବାକୁ ଦିଆଯାଇନଥିଲା । ତେବେ ଏନପିଏଫ ସାଂସଦ ପଫୋଜ ମଣିପୁର ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ମଧ୍ୟ ବିରକ୍ତି ପ୍ରକାଶ କରିଛନ୍ତି । ଲୋରହୋ ପଫୋଜ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ଯିବା ଆବଶ୍ୟକ ଏବଂ ଲୋକଙ୍କ ଜଖମ ଉପରେ ମଲମ ଲଗାଇବା ଆବଶ୍ୟକ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମଣିପୁର ଉପରେ ଜମାରୁ ଧ୍ୟାନ ଦେଉନାହାନ୍ତି ଏବଂ ଏହି କଥାକୁ ନେଇ ମୁଁ ଦୁଃଖିତ । ତେବେ ଏହା ପୂର୍ବରୁ ମଧ୍ୟ ସେ ବିରେନ ସିଂଙ୍କୁ ଟାର୍ଗେଟ କରିସାରିଛନ୍ତି । ଉଲ୍ଲେଖଯୋଗ୍ୟ, ମଣିପୁରରେ ବିଜେପିର ସହଯୋଗୀ ଦଳ କୁକୀ ପିପୁଲ୍ସ ଆଲିଆନ୍ସ ବିରେନ ସରକାରରୁ ସମର୍ଥନ ପ୍ରତ୍ୟାହର କରିନେଇଥିଲା ।