ବିଧାୟକ ଦଳ ବୈଠକରେ ନିଷ୍ପତ୍ତି, ମାଣିକ ଶାହ ହେବେ ତ୍ରିପୁରା ମୁଖ୍ୟମନ୍ତ୍ରୀ

Manik Saha To Be New CM Of Tripura Announced In BJP Legislative Party Meeting

ଅଗରତାଲା: ମାଣିକ ଶାହ ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ । ବିପ୍ଲବ କୁମାର ଦେବଙ୍କ ସ୍ଥାନ ନେବେ ମାଣିକ ଶାହ । ମାଣିକ ଶାହ ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଓ ରାଜ୍ୟ ବିଜେପି ସଭାପତି ଅଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ବିପ୍ଲବ କୁମାର ଦେବ ଏବେ ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତି ପାଇବା ସମ୍ଭାବନା ରହିଛି । ଆସନ୍ତାବର୍ଷ  ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳାଇଛି ବିଜେପି ।

ଏଥିସହ ପଢ଼ନ୍ତୁ: ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିପ୍ଲବ ଦେବ

ରାଜ୍ୟରେ ପ୍ରଥମ ବିଜେପି ସରକାରର ନେତୃତ୍ୱ ନେଇଥିବା ବିପ୍ଲବ ଦେବ ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଥିଲେ । ଆଜି ହିଁ ବିଜେପି ବିଧାୟକ ଦଳ ବୈଠକ ବସି ମାଣିକ ଶାହଙ୍କୁ ନୂଆ ନେତା ନିର୍ବାଚିତ କରା ଯାଇଥିଲା । ବୈଠକରେ କେନ୍ଦ୍ର ମନ୍ତ୍ରୀ ଭୂପିନ୍ଦର ଯାଦବ ଓ ବିଜେପି ମହାସଚିବ ପର୍ଯ୍ୟବେକ୍ଷକ ଭାବେ ଏହି ବୈଠକରେ ଯୋଗ ଦେଇଥିଲେ ।

ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତର ଦିନକ ପରେ ବିପ୍ଲବ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଥିଲେ । ବିପ୍ଲବ କୁମାର ଦେବଙ୍କ ଇସ୍ତଫା ବାବଦରେ ବିଜେପିର ଶୀର୍ଷ ନେତୃବୃନ୍ଦ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ୨୦୧୬ରେ ମାଣିକ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ୨୦୨୦ରେ ବିଜେପିର ତ୍ରିପୁରା ଶାଖା ସଭାପତି ଥିଲେ ।