ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ଶାହା

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି ମାଣିକ ଶାହା । ରବିବାର ମାଣିକ ଶାହାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରମେଶ ବୈଶ । ବିପ୍ଲବ କୁମାର ଦେବ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମାଣିକ । ବିଧାୟକ ଦଳ ବୈଠକରେ ମାଣିକ ନେତା ନିର୍ବାଚିତ ହେବା ପରେ ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିଥିଲେ । ଆସନ୍ତାବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳାଇଛି ବିଜେପି ।

ରାଜ୍ୟରେ ପ୍ରଥମ ବିଜେପି ସରକାରର ନେତୃତ୍ବ ନେଇଥିବା ବିପ୍ଲବ ଦେବ ଶନିବାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଥିଲେ । ଏହା ପରେ ଗତକାଲି ହୋଇଥିବା ବିଧାୟକ ଦଳ ବୈଠକରେ ମାଣିକ ଶାହ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ ହୋଇଥିଲେ । ଗତକାଲି ବିଧାୟକ ଦଳ ବୈଠକରେ କେନ୍ଦ୍ର ମନ୍ତ୍ରୀ ଭୂପିନ୍ଦର ଯାଦବ ଓ ବିଜେପି ମହାସଚିବ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ସୂଚନା ଅନୁସାରେ, ୨୦୧୬ରେ କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହୋଇଥିଲା ମାଣିକ ଶାହ । ୨୦୨୦ ସେ ତ୍ରିପୁରା ବିଜେପି ଅଧ୍ୟକ୍ଷ ହେବା ସହ ରାଜ୍ୟସଭା ଯାଇଥିଲେ ।