ଆମ୍ବ ଟାକୁଆ ଟ୍ରାଜେଡି ପ୍ରସଙ୍ଗ; ପୁଣି ଗରିବୀକୁ ଉପହାସ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଭୁବନେଶ୍ୱର: ଆମ୍ବ ଟାକୁଆ ଟ୍ରାଜେଡି ପ୍ରସଙ୍ଗରେ ପୁଣି ଗରିବୀକୁ ଉପହାସ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଭାଗର ଅପାରଗତାକୁ ସ୍ବୀକାର କରିବା ବଦଳରେ ମିଛ କହି ଚାଲିଛନ୍ତି ଯୋଗାଣ ମନ୍ତ୍ରୀ । ପୁଣିଥରେ କହିଛନ୍ତି, ଅଘଟଣ ଖାଦ୍ୟ ଅଭାବ ଜନିତ ନୁହେଁ। ମନ୍ତ୍ରୀଙ୍କ କହିବା ଅନୁସାରେ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ଥିଲା । ଆମ୍ବ ଟାକୁଆ ଖାଇବା ସେମାନଙ୍କ ଅଭ୍ୟାସ । ଯେତେ ବୁଝାଇଲେ ବି ସେମାନେ ଶୁଣୁନାହାନ୍ତି କହି ତାତ୍ସଲ୍ଯ କରିଛନ୍ତି ମନ୍ତ୍ରୀ । ବେଶି ଦିନ ରହିଯିବାରୁ ଆମ୍ବ ଟାକୁଆ ବିଷ ହେଇଯାଇଥିବାରୁ ଏପରି ଦୁଃଖଦ ଘଟଣା ଘଟିଥିବା ମନ୍ତ୍ରୀ କହିଛନ୍ତି । ହେଲେ ଗାଁ ଲୋକଙ୍କ କହିବା ଅନୁସାରେ ସେମାନଙ୍କୁ ୩ମାସ ହେଲା ଚାଉଳ ମିଳିନଥିଲା । ଯେଉଁଥିପାଇଁ ଭୋକ ବିକଳରେ ସେମାନେ ଆମ୍ବଟାକୁଆ ଜାଉ ଖାଇବାକୁ ବାଧ୍ଯ ହୋଇଛନ୍ତି । ମନ୍ତ୍ରୀଙ୍କ ଚାଉଳ ମିଛ ସରକାରୀ ପ୍ରେସରିଲିଜରୁ ବି ଧରାପଡ଼ିଛି । ଏବେ ପୁଣି ନିଜ ଦୋଷ ଘୋଡ଼େଇବାକୁ ଲୋକଙ୍କୁ ଦୋଷ ଠେଲିଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ ଏଭଳି ଦାୟିତ୍ବହୀନ ମନ୍ତବ୍ଯକୁ ସବୁଠି ସମାଲୋଚନା କରାଯାଉଛି ।