‘ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଗିରଫ କରାଯାଉ’
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଖାଇ ୨ ମହିଳାଙ୍କ ମୃତ୍ୟୁ ଘଟଣା। ଶନିବାର ଉକ୍ତ ଗାଁକୁ ଗସ୍ତ କରି ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଆମ୍ବ ଟାକୁଆ ଖାଇ ମୃତ୍ୟୁ ସାଧାରଣ ଘଟଣା ନୁହେଁ। ଏହା ସରକାରଙ୍କ ଦ୍ୱାରା ରଚିତ ବିପର୍ଯ୍ୟୟ। ଘଟଣାରେ ମୁଖ୍ୟମନ୍ତ୍ରୀ, ଯୋଗାଣମନ୍ତ୍ରୀ, ଜିଲ୍ଲାପାଳଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଗିରଫ କରିବା ଦରକାର ବୋଲି ଶ୍ରୀକାନ୍ତ ଜେନା କହିଛନ୍ତି।
ମନ୍ତ୍ରୀଙ୍କ ଆମ୍ଵ ଟାକୁଆ ଖାଇବା କଥାକୁ ସମାଲୋଚନା କରିଛନ୍ତି ଶ୍ରୀକାନ୍ତ ଜେନା । ଆହୁରି ମଧ୍ୟ କହିଛନ୍ତି, ଆମେ ଦେଖିଲୁ ଦେଢ଼ ମାସ ବିଳମ୍ବରେ ଶନିବାରେ ଅକ୍ଟୋବର ମାସର ଚାଉଳ ବଣ୍ଟାଯାଉଥିଲା । ଚାଉଳ ମିଳିବାରେ ବିଳମ୍ଵ ହେବାରୁ ଲୋକଙ୍କ ପାଖରେ ଖାଦ୍ୟାଭାବ ଦେଖାଦେଇଥିଲା । ବାଧ୍ୟହୋଇ ସେମାନେ ଆମ୍ବ ଟାକୁଆ ଖାଇଥିବା କହିଛନ୍ତି ଶ୍ରୀକାନ୍ତ ଜେନା । ଯୋଗାଣମନ୍ତ୍ରୀ ସେଠାକୁ ଯାଇ ଦେଖନ୍ତୁ ବଣ୍ଟନ ବ୍ୟବସ୍ଥା କିପରି ଚାଲିଛି । ୩୫ କିଲୋ ଚାଉଳ ଦେଉନାହାନ୍ତି । ତା ବଦଳରେ ପାଞ୍ଚ କିଲୋ ଚାଉଳ ବି ଠିକ୍ ସମୟରେ ଦିଆଯାଉନାହିଁ । ଉକ୍ତ ଅଞ୍ଚଳରେ ବିକାଶ ବହୁ ଦୂରରେ। ଏ ଯାଏଁ ମୁଖ୍ୟମନ୍ତ୍ରୀ କି ଜିଲ୍ଲାପାଳଙ୍କ ପାଖରେ ସମୟ ନାହିଁ ସେହି ଗାଁକୁ ଯିବାକୁ । ସଂରକ୍ଷିତ ଅଞ୍ଚଳ ବିକାଶ ଦାୟିତ୍ୱ ରାଜ୍ୟପାଳଙ୍କର। ହେଲେ ନିର୍ବାଚନ ପାଇଁ ଝାଡ଼ଖଣ୍ଡ ଯାଇଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା।
ସେପଟେ ଆମ୍ଵଟାକୁଆ ଖାଇ ମହିଳାଙ୍କ ମୃତ୍ୟୁ ଘଟଣାରେ ସମାନ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଏହା ଗଣତନ୍ତ୍ର ପାଇଁ କ୍ଷତିକାରକ। କେବେ ଭାଷଣ ମାରି ସରକାରକୁ ଆସିଲେ, ହେଲେ ଲୋକ ଆମ୍ବ ଟାକୁଆ ଖାଉଛନ୍ତି ବୋଲି ସମାଲୋଚନା କରିଛନ୍ତି ତାରା ବାହିନୀପତି।