ଦୁଇ ଦଶନ୍ଧି ପରେ ଫେରିଲା ଆମ୍ବ ଟାକୁଆ, ନେଲା ଦୁଇ ଜୀବନ; ଗରିବଙ୍କୁ ମନ୍ତ୍ରୀଙ୍କ ଉପହାସ

1 min read

ଭୁବନେଶ୍ବର: ସ୍ତବ୍ଧ ଓଡ଼ିଶା । ଦୁଇ ଦଶନ୍ଧି ପରେ କନ୍ଧମାଳକୁ ଫେରିଲା ଆମ୍ବ ଟାକୁଆ କଳଙ୍କ । ଆମ୍ବ ଟାକୁଆ କୋଇଲି ଜାଉ ଖାଇ ୨ ମହିଳାଙ୍କର ମୃତ୍ଯୁ ହୋଇଥିବାବେଳେ ୬ ଜଣ ଜୀବନ ସହ ସଂଘର୍ଷ କରୁଛନ୍ତି । ବଡ଼କଥା ହେଲା ମୃତକଙ୍କ ପରିବାରକୁ ଗତ ୩ ମାସ ହେଲା ମିଳିନାହିଁ ଚାଉଳ । ଏନେଇ ଖୋଦ୍ ବ୍ଲକ ଚେୟାରମ୍ଯାନ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଚିନ୍ତା କରିବା ବଦଳରେ ଗରିବକୁ ଉପହାସ କରିଛନ୍ତି ସ୍ବାସ୍ଥ୍ଯମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏପଟେ କେଉଁ ପରିସ୍ଥିତିରେ ସେମାନେ ଆମ୍ବ ଟାକୁଆ ଜାଉ ଖାଇଲେ ସେନେଇ ବିଭାଗୀୟ ତଦନ୍ତ ଜାରି ରହିଛି ।

ଲେଉଟିଲା ଭୋକ । ଫେରିଲା କଳଙ୍କ । କନ୍ଧମାଳକୁ ଆମ୍ବଟାକୁଆ କୋଇଲି ରିଟର୍ଣ୍ଣସ । କୋଇଲି ଜାଉ ନେଇଗଲା ଦୁଇ ଜୀବନ ।  ଦିନେ ଯେଉଁ ଭୋକର ଭୁଗୋଳ ପାଇଁ ଓଡ଼ିଶା ସାରା ବିଶ୍ବରେ ନିନ୍ଦିତ ହୋଇଥିଲା ଦୁଇ ଦଶନ୍ଧି ପରେ ସେଇ ଅପଦଶା କଡ଼ ଲେଉଟାଇଛି । ଏଥର ଓଡ଼ିଶାକୁ ଦୁର୍ନାମ ଆଣିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ମାଣ୍ଡିପଙ୍କା ଗାଁ । ଏହି ଗାଁରେ ଆମ୍ବ ଟାକୁଆ କୋଇଲି ଜାଉ ଖାଇ ଦୁଇ ମହିଳାଙ୍କ ମୃତ୍ଯୁ ହୋଇଥିବାବେଳେ ୬ ଗୁରୁତର ବ୍ରହ୍ମପୁର ଏମକେସିଜିରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି । ଦୁଇ ମୃତକ ହେଲେ ୩୦ ବର୍ଷୀୟା ଦିବ୍ଯାଙ୍ଗ ଯୁବତୀ ରୁନି ମାଝୀ ଓ ୨୮ ବର୍ଷୀୟା ରନିତା ପାଟମାଝୀ । ଗତ ୨୩ ତାରିଖରେ ୨୦ ପରିବାରର ୩୦ରୁ ଅଧିକ ଲୋକ ଜାଉ କରି ଖାଇଥିଲେ ଆମ୍ବ ଟାକୁଆ । ବଳିପଡ଼ିଥିବା ଟାକୁଆ କୋଇଲିରେ ପୁଣିଥରେ ୨୯ ତାରିଖରେ ଜାଉ କରି ଖାଇବା ପରେ ଏଭଳି ଦଶା ଘଟିଛି ।

ଏପଟେ ସମ୍ବେଦଳନଶୀଳ ଘଟଣାକୁ ଅତି ହାଲୁକା ଭାବେ ନେଇଛନ୍ତି ସ୍ବାସ୍ଥ୍ଯ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିବା ବଦଳରେ ତାତ୍ସଲ୍ଯ କରିବାକୁ ପଛାଇ ନାହାନ୍ତି । ଅନ୍ଯନ୍ତ ବେପରୁଆ ଭାବେ କହିଛନ୍ତି, କନ୍ଧମାଳରେ ଆମ୍ବ ଟାକୁଆ କୋଇଲି ଖାଇବା ସେମାନଙ୍କ ଅଭ୍ୟାସ ।

ଆମ୍ବ ଟାକୁଆ ଜାଉ ମୃତ୍ଯୁ ପ୍ରସଙ୍ଗ ଯେତିକି ଚିନ୍ତାଜନକ ତା’ଠୁ ଅଧିକ ଚିନ୍ତାଜନକ ଖୋଦ ସ୍ବାସ୍ଥ୍ଯମନ୍ତ୍ରୀଙ୍କ ଏଭଳି ବିତଣ୍ଡା ମନ୍ତବ୍ଯ । ସିଧାସଳଖ ଭାବେ ଉପାନ୍ତ ଅଞ୍ଚଳର ଗରିବଙ୍କୁ ଉପହାସ କରିଛନ୍ତି ମନ୍ତ୍ରୀ । ପ୍ରଶ୍ନ ଉଠୁଛି, ଲୋକେ ଆମ୍ବ ଟାକୁଆ ଖାଇ ମରୁଥିବା ବେଳେ ମନ୍ତ୍ରୀଙ୍କ ବେପରୁଆ ବୟାନ କେତେ ଯୁକ୍ତିଯୁକ୍ତ ? ଦୀର୍ଘ ବର୍ଷ ପରେ ଆମ୍ବ ଟାକୁଆ ଖାଇ ମୃତ୍ଯୁ ଅଭିଯୋଗ ଯୋଜନା ପ୍ରତି ପ୍ରଶ୍ନ ଉଠାଉନାହିଁ କି ? ଏପଟେ ଘଟଣାରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ଦାରିଙ୍ଗବାଡ଼ି ବ୍ଲକ ଅଧ୍ଯକ୍ଷ ସୁଶାନ୍ତ କୁମାର ପ୍ରଧାନ । ସୁଶାନ୍ତ କହିଛନ୍ତି, ମୃତକଙ୍କ ପରିବାରକୁ ୩ ମାସ ହେଲା ରାସନ ମିଳିନି । କନ୍ଧମାଳରେ ସବୁ ଜାଗାରେ ନେଟୱର୍କ ନଥିବାରୁ ଇ-କେୱାଇସି ହୋଇପାରୁନି । ଫଳରେ ହିତାଧିକାରୀ ଚାଉଳ ନପାଇ ହନ୍ତସନ୍ତ ହେଉଛନ୍ତି । ଯାହାକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ ।

ଘଟଣାର ବିଭାଗୀୟ ତଦନ୍ତ ଚାଲିଛି । ସ୍ବାସ୍ଥ୍ଯ ନିର୍ଦ୍ଦେଶକ ଓ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନ ବି ତଦନ୍ତ କରୁଛନ୍ତି । କେଉଁ ପରିସ୍ଥିତିରେ ଆମ୍ବ ଟାକୁଆ ଖାଇଲେ ଲୋକେ ସେ ନେଇ ବିଡିଓ ଜିଲ୍ଲାପାଳଙ୍କୁ ପ୍ରାଥମିକ ରିପୋର୍ଟ ଦେଇଛନ୍ତି । ମୃତକଙ୍କ ଶବ ବ୍ଯବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପ୍ରଶାସନ । ରିପୋର୍ଟ ଆସିଲେ ସେମାନଙ୍କ ମୃତ୍ଯୁର ସ୍ପଷ୍ଟ କାରଣ ଜଣାପଡ଼ିବ । ତେବେ ଦୀର୍ଘ ବର୍ଷ ପରେ ଓଡ଼ିଶାରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ଯୁ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।