ନୂଆ ସରକାରଙ୍କ ମୁଖା ଖୋଲି ଦେଇଛି ମାଣ୍ଡିପଙ୍କ ଗାଁ ଲୋକଙ୍କ ପେଟର ଭୋକ
1 min readକନ୍ଧମାଳ: ଦାରିଙ୍ଗବାଡ଼ିର ମାଣ୍ଡିପଙ୍କା ଗାଁରେ କେମିତି ବିତୁଛି ଜୀବନ । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି ନନ୍ଦିଘୋଷ ଟିଭି । ଗାଁ ଲୋକଙ୍କ ସହ କଥା ହେବା ସହ ଦୁଃଖ ଶୁଣିଛି । ଏହି ସମୟରେ ଲୋକଙ୍କ ଅଭିଯୋଗ ନୂଆ ସରକାରର ମୁଖା ଖୋଲି ଦେଇଛି । ଗ୍ରାମବାସୀଙ୍କ କହିବା ଅନୁସାରେ, ସେମାନଙ୍କୁ ୩ ମାସ ହେଲା ମିଳୁନି ରାସନ ଚାଉଳ । ଫଳରେ ବଞ୍ଚିବାକୁ ବାଧ୍ୟ ହୋଇ ଆମ୍ବ ଟାକୁଆକୁ ଆଶ୍ରା କରିଛନ୍ତି ଲୋକେ । ଅନ୍ୟପଟେ ବିପଦ ବେଳେ ନନ୍ଦିଘୋଷ ଟିଭିକୁ ପାଖରେ ପାଇ ସେମାନେ ଖୁସିପ୍ରକାଶ କରିଛନ୍ତି ।
ଜୀବନର ଫର୍ଦ୍ଦେ ଷଡ଼ଯନ୍ତ୍ର ହୋଇପାରେ, ଅଭାବର ଅଲିଖିତ ସଜ୍ଞା ବି ସାଜିପାରେ । ଭୋକ ଯେବେ ଆଁ କରେ, ଭଉଁରୀ ଭିତରେ ଜୀବନ ଭଗ୍ନାଂଶ ଭଳି ଭାଙ୍ଗିଯାଏ । ଭୋକର ଭୁଗୋଳ କଳଙ୍କର ଇତିହାସ ହୋଇ ବଦନାମର ଟିପାଟିଏ ହୋଇଯାଏ । ଭୋକ ଆସିଲେ ଜଣାପଡ଼େନି ସଜ-ବାସି, ଗରମ-ଥଣ୍ଡା, ସୁଆଦିଆ-ଅସୁଆଦିଆ, ଲୁଣିଆ-ଅଲଣିଆ । ଠିକ୍ ଏଇ ଯେମିତି ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁର କାହାଣୀ । ଏମାନଙ୍କୁ ଦରକାର ଖାଲି ଖାଦ୍ୟ ଆଉ ଖାଦ୍ୟ । ସେଇଥିପାଇଁ ତ ଆଜି ଆମ୍ବ ଟାକୁଆ ଜାଉ ଖାଇ ଜୀବନ ହରାଇ ଦେଇଛନ୍ତି ଏହି ଗାଁର ଦୁଇ ମହିଳା ।
ଆମ୍ବ ଟାକୁଆର ଅନେକ କାହାଣୀ ଭିତରେ ଗାଁକୁ ଯାଇ ଲୋକଙ୍କଠୁ ଭୋକର ସତ ଶୁଣିଛି ନନ୍ଦିଘୋଷ ଟିଭି । ଆଉ ସେ ସତ ଆପଣଙ୍କୁ ବି ଦୁଇ ମିନିଟ ଭାବିବାକୁ ବାଧ୍ୟ କରିବ । ପ୍ରକୃତ କଥା ହେଲା କେହି ଏଠି ଖୁସିରେ କି ପାରମ୍ପରିକ ଖାଦ୍ୟ ଭାବେ ଆମ୍ବ ଟାକୁଆ ଜାଉ ଖାଇ ନଥିଲେ । ଭୋକର ତାଡ଼ନା ଆଗରେ ଖାଇବାକୁ ବାଧ୍ୟ ହୋଇଥିଲେ । କାରଣ ଗଲା ୩ ମାସ ହେଲା ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ କାଣିଚାଏ ଚାଉଳ ବି ଦେଇ ନଥିଲେ ସରକାର । ଲଗାତାର ଚାଉଳ ନମିଳିବାରୁ ବାଧ୍ୟ ହୋଇ ଆମ୍ବ ଟାକୁଆକୁ ଆଶ୍ରା କରିଥିଲେ ଲୋକ । ଆଉ ତାରି ଫଳାଫଳ ଏବେ ସାରା ରାଜ୍ୟ ଦେଖୁଛି ।
କାହିଁକି ଆମ୍ବ ଟାକୁଆ ଜାଉ ଖାଆନ୍ତି ଆଦିବାସୀ ? ଏସବୁର ଉତ୍ତର ଖୋଜିଛି ନନ୍ଦିଘୋଷ ଟିଭି । ଆଗରୁ ଆଦିବାସୀମାନେ ଆମ୍ବ ଟାକୁଆ ଜାଉ ଖାଉଥିଲେ ହେଁ ଗତ ଦୁଇ ଦଶନ୍ଧି ଧରି ଏଥିରେ ପରିବର୍ତ୍ତନ ଆସିଥିଲା । ନବୀନ ସରକାରଙ୍କ ଟଙ୍କିକିଆ ଚାଉଳ ସେମାନଙ୍କ ଜୀବନକୁ ନୂଆ ମୋଡ ଦେଇଥିଲା । ଭୋକ ମେଣ୍ଟାଇବାକୁ ଆମ୍ବ ଟାକୁଆ ଛାଡ଼ି ଭାତ ଖାଉଥିଲେ ଲୋକେ । ସେବେଠୁ ସବୁ ଠିକଠାକ ଚାଲିଥିଲା । ହେଲେ ଗତ ୩ ମାସ ହେଲା ନୂଆ ସରକାରର ନୂଆ ନିୟମ ସେମାନଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ରାସନ ଚାଉଳ ମିଳୁ ନଥିବାରୁ ଶେଷରେ ବାଧ୍ୟ ହୋଇ ଆମ୍ବ ଟାକୁଆ ଖାଇଥିବା କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ । ଏପଟେ ଆମ୍ବ ଟାକୁଆ ନଖାଇବାକୁ ସଚେତନ କରୁଥିବା କହିଛନ୍ତି ସ୍ଥାନୀୟ ଆଶାକର୍ମୀ ।
ଆମ୍ବ ଟାକୁଆର ପ୍ରସ୍ତୁତି ବି ବେଶ ଜଟିଳ । ଏଥିପାଇଁ ପ୍ରାୟ ସପ୍ତାହେ ସମୟ ଲାଗିଥାଏ । ଲୋକଙ୍କ ଦୁର୍ଦ୍ଦଶା ବେଳେ ଗାଁରେ ପହଞ୍ଚିଛି ଦୁଃଖ ଶୁଣିଛି ନନ୍ଦିଘୋଷ ଟିଭି । ଏଥିପାଇଁ ଗାଁ ଲୋକ ଖୁସି ପ୍ରକାଶ କରିବା ସହ ନୂଆ ସରକାର ଠିକ୍ ସମୟରେ ଚାଉଳ ଦେବାକୁ ଦାବି କରିଛନ୍ତି ।